
ଅନୁଗୋଳ :-(ସ୍ବସ୍ତିକ ଦେବ ସାହୁ )ମହୀଧରପୁର ପ୍ରସିଦ୍ଧ କାର୍ତ୍ତିକେଶ୍ବର ପୂଜା ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏବେ ପୂଜା ଅଧିକ ଆକର୍ଷଣୀୟ ହେବାରେ ଲାଗିଛି। ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି। ଆକର୍ଷଣୀୟ ପୂଜା ମଣ୍ଡପ ଦର୍ଶକମାନଙ୍କ ମନ ମୋହୁଛି। ୭ଦି ଧରି ଏହି ପୂଜା ଚାଲିବ,ଏହାକୁ ମନଭରି ଉପଭୋଗ କରିବା ପାଇଁ କେବଳ ମହୀଧରପୁର କି ଅନୁଗାଳ ଜିଲାର ଦର୍ଶକ ନୁହେଁ ନୁହେଁ ଢେଙ୍କାନାଳ, କଟକ, ଭୁବନେଶ୍ବର, ଦେବଗଡ଼, ସମ୍ବଲପୁରରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସୁଛନ୍ତି। ପୂଜା ଉପଭୋଗ କରିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହେଉଛି। ସନ୍ଧ୍ୟାରେ କାର୍ତ୍ତିକେଶ୍ବର ପୂଜା ଦେଖିବା ପାଇଁ ପ୍ରତି ପୂଜା ମଣ୍ଡପରେ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଜମୁଛି। ପ୍ରତି ପୂଜା ମଣ୍ଡପ ନିକଟରେ ଭଜନ ସମାରୋହ ଓ ମେଲୋଡି କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନୋରଞ୍ଜନକୁ ଦ୍ବିଗୁଣିତ କରୁଛି। ପୂଜାର ଅନ୍ୟ ଏକ ଆକଷ,ର୍ର୍ଣ ସାଜିଛି ମୀନା ବଜାର। ମୀନା ବଜାରରେ ରଙ୍ଗ ବେରଙ୍ଗ ସାମଗ୍ରୀ ମିଳୁଛି। ତେଣୁ ଲୋକମାନେ ମଣ୍ଡପ ବୁଲି ସାରିବା ପରେ ମୀନା ବଜାରରେ ଭିଡ଼ ଜମାଉଛନ୍ତି। ଏହି ମୀନା ବଜାରରେ ଭଳିକି ଭଳି ମନହରି ଜିନିଷର ପସରା ମେଲିଛି। ମୀନା ବଜାରରୁ ଜିନିଷ କିଣିବା ପାଇଁ ଛୋଟ ପିଲା ଓ ମହିଳାମାନଙ୍କ ବେଶି ଭିଡ଼ ଜମୁଛି। ସେହିପର ରାସ୍ତା ପାର୍ଶ୍ବରେ ଖୋଲିଛି ଭଳିକି ଭଳି ଖାଦ୍ୟ ପସରା। ଫାଷ୍ଟ ଫୁଡ, ଆଇସକ୍ରିମ ଦୋକାନରେ ଦର୍ଶକଙ୍କ ଅଧିକ ଭିଡ଼ ଜମୁଛି। ଏହା ସାଙ୍ଗକୁ ମଧୁରା କେକ୍ ଓ ସିମଲା ଲଙ୍କା ଚପର ସ୍ବାଦ ଦର୍ଶକମାନଙ୍କୁ ଖାଦ୍ୟ ଷ୍ଟଲ ନିକଟକୁ ଆକର୍ଷିତ କରୁଛି। ତେଣୁ ବିଭିନ୍ନ ସ୍ଥାନରୁ ଆସି ପସରା ମେଲାଇଥିବା ବ୍ୟବସାୟୀମାନେ ମଧ୍ୟ ଭଲ ବ୍ୟବସାୟ କରୁଥିବା ପ୍ରକାଶ କରିଛନ୍ତି। ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କମିଟିର ସଦସ୍ୟମାନେ ଟ୍ରାଫିକ ଭଲ୍ୟୁଣ୍ଟିୟର ଭାବେ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ଏହି ଭଲ୍ୟୁଣ୍ଟିୟରମାନେ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଏହାସହ ପକେଟମାରଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ସେଥିପାଇଁ ପ୍ରଥମ ଦିନରେ ସେଭଳି କିଛି ପକେଟମାର କି ଛିନ୍ତାଇ ଘଟଣା ନଜରକୁ ଆସିନାହିଁ। ଏହି ଭଲ୍ୟୁଣ୍ଟିୟରମାନଙ୍କୁ ପୁଲିସ କର୍ମଚାରୀମାନେ ତାଲିମ ଦେଇଛନ୍ତି କିପରି ଭିଡ଼ ନିୟନ୍ତ୍ରଣ କରିବେ ଓ ପକେଟ୍ମାରଙ୍କ ଉପରେ ନଜର ରଖିବେ। ସେହିପରି ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବଅଁରପାଳ ଥାନା ପୁଲିସ, ମହୀଧରପୁର ଫାଣ୍ଡି ପୁଲିସ ଓ ଅନ୍ୟାନ୍ୟ ପୁଲିସ ବଳ ମୁତୟନ ହୋଇଛନ୍ତି। ମହୀଧରପୁର ଓ ଏହା ସଂଲଗ୍ନ ଗ୍ରାମଗୁଡିକରେ ସୁଉଚ୍ଚ ତୋରଣ ସାଙ୍ଗ ଆକର୍ଷଣୀୟ ମେଢ ହୋଇଛି। କେଉଁ ମଣ୍ଡପରେ କାର୍ତ୍ତିକଶ୍ବେର ପୂଜା ପାଉଛନ୍ତି ତ କେଉଁ ମଣ୍ଡପରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ପୂଜା ପାଉଛନ୍ତି। କେଉଁଠି ଗଣେଶଙ୍କ ମୂର୍ତ୍ତି ପୂଜା ପାଉଛନ୍ତି ତ କେଉଁଠାରେ ଶିବପାର୍ବତୀ ଓ କେଉଁଠାରେ କାଳୀୟଦଳନ ମୂର୍ତ୍ତି ଦର୍ଶକମାନଙ୍କୁ ବିମୋହିତ କରୁଛି। ଚଳିତ ବର୍ଷ ହାଟଛକ ଠାରେ ସମୁଦ୍ର ମନ୍ଥନର କଳାକୃତି ପର୍ଯ୍ୟବେସିତ ହୋଇଥିବା ବେଳେ ଏହାର ମଧ୍ୟରେ ଶିବପାର୍ବତୀ ପୂଜା ପାଉଛନ୍ତି। ପୌରାଣିକ କିମ୍ବାଦନ୍ତୀ ଗୁଡିକୁ ଉଦଜୀବିତ କରିବା ପାଇଁ ପୁରାଣପୃଷ୍ଠାରୁ ଦୃଶ୍ୟ ଗୁଡିକୁ ଚିତ୍ରଣ କରାଯାଇଛି। ସେହିପରି ଲକ୍ଷ୍ମୀବଜାରରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ବିଶାଳ ମୃଣ୍ମୟୀ ପ୍ରତିମା ନିର୍ମାଣ କରାଯାଇଥିବା ବେଳେ ରାଜମହଲ ମଧ୍ୟରେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି। ରଘୁନାଥବଜାରରେ ରାଧାଦାମୋଦରଙ୍କ ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ ଚର୍ଚ୍ଚାର ବିଷୟ ପାଳଟିଥିବା ରତ୍ନଭଣ୍ଡାର ଏଠାରେ ଚିତ୍ରଣ କରାଯାଇଛି। ଏ ସବୁକୁ ମନଭରି ଉପଭୋଗ କରିବା ପାଇଁ ଛୋଟଠାରୁ ବଡ଼ ସମସ୍ତେ ସନ୍ଧ୍ୟା ହେବା ମାତ୍ରେ ଭିଡ଼ ଜମାଉଥିବା ଦେଖାଯାଇଛି। ଅପରପକ୍ଷେ ଆସନ୍ତା ରବିବାର ଠାକୁରମାନଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହେବ।