
କଳାହାଣ୍ଡି / ଭବାନୀପାଟଣା (ଶୁଭେନ୍ଦୁ କୁମାର ପଣ୍ଡା ଙ୍କ ରିପୋର୍ଟ): ରାତି ପାହିଲେ ଭୋଟ ଗଣତି କଳାହାଣ୍ଡି ରେ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି l ଭବାନୀପାଟଣା ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟର ସାଇନ୍ସ ବ୍ଲକରେ ଭବାନୀପାଟଣା, ନର୍ଲା ଓ ଲାଞିଗଡ ନିର୍ବାଚନ ମଣ୍ଡଳୀ ଏବଂ ଧର୍ମଗଡ ପଞ୍ଚାୟତ କଲେଜ ଠାରେ ଧର୍ମଗଡ ଓ ଜୁନାଗଡ ବିଧାନସଭା ମଣ୍ଡଳୀ ସହିତ ଲୋକସଭା ଭୋଟ ଗଣତି ହେବ l ଏଥିପାଇଁ ଆଜି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଏବଂ ଏସ୍ ପି ଅଭିଳାଷ ଜି ଉଭୟ ଭବାନୀପାଟଣା ଓ ଧର୍ମଗଡ଼ର ଭୋଟଗଣତି ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ର ତଦାରଖ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ରାଜ୍ୟ ପୋଲିସ, ଆର୍ମ ଫୋର୍ସ ଏବଂ ସିଆରପିଏଫ ଏଭଳି ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି l ଉଭୟ ସ୍ଥାନରେ ୪ପ୍ଲାଟୁନ ଲେଖାଏଁ ଫୋର୍ସ ରହିବେ । ସକାଳ ୮ଟାରୁ କଡା ସୁରକ୍ଷା ଏବଂ ବ୍ୟବସ୍ଥିତ ଢଙ୍ଗରେ ଭୋଟଗଣତି ହେବ ବୋଲି କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭବାନୀପାଟଣା, ଲାଞ୍ଜିଗଡ଼, ନର୍ଲା ଏବଂ ଧର୍ମଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୧୪ ଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଥିବାବେଳେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ୧୨ଟି ଲେଖାଏଁ ଟେବୁଲ କରାଯାଇଛି l ଅହେତୁକ ତାପମାତ୍ରା କୁ ନଜରରେ ରଖି ପ୍ରତ୍ୟେକ ଭୋଟ ଗଣତି କକ୍ଷରେ ଏସିର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି l