
ଭୁବନେଶ୍ୱର : ‘ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ? ଯଦି ରାଜନୀତି କରିବାକୁ ଏତେ ଇଚ୍ଛା, ତେବେ ଚାକିରି ଛାଡ଼ି ମୈଦାନକୁ ଓହ୍ଲାନ୍ତୁ’ । ଏମିତି ଢଙ୍ଗରେ ନାଁ ନ ନେଇ 5-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାସଂଦ ତଥା ବିଜେପି ନେତ୍ରୀ ଅପରାଜିତା ଷଢଙ୍ଗୀ ।ଏପରିକି ରାଜ୍ୟ ସରକାର ଓ ଏହାର ଶାସନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାଂସଦ । ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସରକାର ଓ ଏହାର 5-ଟି ବିଭାଗକୁ କରିଛନ୍ତି ଟାର୍ଗେଟ୍ ।ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ପ୍ରୋଟୋକଲ ଅନୁସାରେ କିଏ ଉପରେ କିଏ ତଳେ, ତାହା ସମସ୍ତେ ଜାଣନ୍ତି । କିନ୍ତୁ ରାଜ୍ୟରେ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରୀୟ ଅଧିକାରୀ ହାଇଜାକ କରି ନେଇଛନ୍ତି । ନିୟମର ଉଲ୍ଲଙ୍ଘନ କରି ସଚିବ ଜନସଭା କରିବା ସହ ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ଏ ସବୁ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଛନ୍ତି ବୋଲି କହୁଛନ୍ତି । ଯଦି ସଚିବଙ୍କ କଥା ସତ ତେବେ, ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ଯଦି ଦେଇଛନ୍ତି ତେବେ ଏକଥା ସେ ସମସ୍ତଙ୍କ ସମ୍ମୁଖରେ ରଖିବା ଉଚିତ ବୋଲି କହିଛନ୍ତି ସାଂସଦ । ‘ଏପରିକି 5-ଟି ସଚିବଙ୍କ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କି ? ଯଦି ଦେଇଛନ୍ତି, ତେବେ ସେ ଅର୍ଡର କାହିଁ ? ଯଦି ତାଙ୍କ ରୁମ ଭିତରେ ଏପରି ଆଦେଶ ଦେଇଛନ୍ତି ତେବେ ଏହା ଓଡ଼ିଶା ଶାସନବ୍ୟବସ୍ଥା ଉପରେ ବହୁତ ବଡ ପ୍ରଶ୍ନବାଚୀ ଲାଗୁଛି ।’ ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ ସମସ୍ତ ପ୍ରସ୍ତୁତ କରୁଛନ୍ତି । ସ୍ଥାନୀୟ ସାଂସଦ, ବିଧାୟକମାନଙ୍କୁ ଅଣଦେଖା କରାଯାଉଛି । ବିଧାୟକ, ମନ୍ତ୍ରୀମାନେ ଦାସତ୍ୱ ସ୍ୱୀକାର କରିନେଇଛନ୍ତି । ସଂପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି । ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି ବୋଲି କହି ବର୍ଷିଛନ୍ତି ସାଂସଦ ।