
କଟକ (୧୨/୦୫/୨୦୨୩): ଗତକାଲି କଟକରେ ରାତି ୭.୦୦ ସମୟରେ ଇଣ୍ଡୋ ଟିଭିର ସାମ୍ବାଦିକ ରାଜକିଶୋର ଦାସଙ୍କୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ୩ ଜଣ ଦୁବୃର୍ତ୍ତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ବେକ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି।
କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛି ଓଡିଶା ଡିଜିଟାଲ ମିଡିଆ ମହାସଙ୍ଘ। ସଂଘର ଚେୟାରମେନ୍ କେଦାର ମିଶ୍ର, ଭାଇସ୍ ଚେୟାରମେନ୍ ଆଶୁତୋଷ ସାମନ୍ତରାୟ ଓ ସଭାପତି ସତ୍ୟଜିତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମହାସଂଘର ସାଧାରଣ ସମ୍ପାଦକ କାହ୍ନା ନାୟକଙ୍କ ନେତୃତ୍ୱରେ ୨୦ଜଣିଆ ପ୍ରତିନିଧି ଦଳ ଆକ୍ରମଣରେ ଶିକାର ହୋଇଥିବା ସାମ୍ବାଦିକ ରାଜକିଶୋର ଦାସଙ୍କ କଣ୍ଟାପଡା ବ୍ଲକ୍ ରେ ଥିବା ବାସଭବନରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ସ୍ବାସ୍ଥ୍ୟ କଥା ପଚାରି ବୁଝିଥିଲେ। ସଂଘ ତରଫରୁ କଟକ ମଧୁପାଟଣା ଥାନାରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କ ବିରୁଦ୍ଧରେ ଏତଲା ଦିଆଯିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏହି ସମୟରେ ଇଣ୍ଡୋ ଟିଭିର ସମ୍ପାଦିକା ମଧ୍ୟ ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି କିଛି ଦିନ ତଳେ ନିଆଳି ଅଞ୍ଚଳରେ କାର୍ଯ୍ୟରତ ଟାଇମସ୍ ଓଡିଆ ସାମ୍ବାଦିକ ବିନୟ ମହାପାତ୍ରଙ୍କୁ କିଛି ଅସାମାଜିକ ବ୍ୟକ୍ତି ହତ୍ୟା ଧମକ ଦେଇଥିଲେ, ସେହି ସମୟରେ ସଂଘ ପକ୍ଷରୁ ନିଆଳି ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।
ଗଣମାଧ୍ୟମର କଣ୍ଠରୋଧ କରିବାକୁ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବାରୁ ସାଧାରଣରେ ସାମ୍ବାଦିକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।