
ଭୁବନେଶ୍ୱର: ଆଜିଠୁ ଲାଗୁ ହେଲା ଲକ୍ଡାଉନ୍ ୩.୦। କରୋନା ସଂକ୍ରମଣରେ ଆହୁରି ରୋକ୍ ଲଗାଇବାକୁ ଆସନ୍ତା ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛି ରାଜ୍ୟ ସରକାର। ପୂର୍ବଭଳି ଶନିବାର ଓ ରବିବାର ସଟଡାଉନ ଜାରି ରହିବ । ପୂର୍ବରୁ ଲାଗୁ ହୋଇଥିବା ଲକଡାଉନର ସମସ୍ତ କଟକଣା ବଳବତ୍ତର ରହିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।
ତେବେ ଦ୍ରୁତ ହାରରେ ସଂକ୍ରମଣ କମୁଥିବା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ମଲ୍, ମାର୍କେଟ କମ୍ପେ୍ଲକ୍ସ, ସାପ୍ତାହିକ ହାଟ, ସେଲୁନ୍ ଓ ସ୍ପା ବାଦ୍ ଅନ୍ୟ ସମସ୍ତ ଦୋକାନ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ ।
ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରିଥିଲେ। ପୂର୍ବରୁ ଲକଡାଉନକୁ ୨୫ ଦିନ ବିତିଲାଣି । ଏହାର ସୁଫଳ ବି ମିଳୁଛି । ୨୫ ଦିନ ତଳେ ରାଜ୍ୟରେ କରୋନା ସଂକ୍ରମଣ ହାର ୨୫% ଥିଲା । ଏବେ ଏହା ୧୫% ତଳକୁ ଖସିଲାଣି । ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଦ୍ରୁତଗତିରେ ସଂକ୍ରମଣ ହ୍ରାସ ପାଇଛି । ହେଲେ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ବି କରୋନା ସଂକ୍ରମଣ ଚିନ୍ତାଜନକ । ଖୋର୍ଦ୍ଧା, କଟକରେ ଏବେ ବି କରୋନା ସଂକ୍ରମଣ ହାର ୨୦%ରୁ ୨୫%ରୁ ଅଧିକ କିଛି । ଠିକଣା ସମୟରେ ଲକଡାଉନ ଲାଗୁ ହୋଇଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଅଛି ।
ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବେଡ୍ କିମ୍ବା ଅକ୍ସିଜେନ ସଙ୍କଟ ସ୍ଥିତି ଉପୁଜିନାହିଁ । କରୋନା ମହାମାରୀ ସହ ଓଡ଼ିଶା ନିକଟରେ ୟାସ୍ ବାତ୍ୟାକୁ ବି ସାମ୍ନା କରିଛି । ଏଥିପାଇଁ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଉଦ୍ଧାର ପାଇଁ ହଜାର ହଜାର କର୍ମଚାରୀ ବିଭିନ୍ନ ଜିଲ୍ଲାକୁ ଯାଇଛନ୍ତି । ତେଣୁ ସଂକ୍ରମଣ ଆଶଙ୍କା ଏଡ଼ାଇ ଦିଆଯାଇନପାରେ । ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ବିପଦଜନକ ରହିଛି । ସଂକ୍ରମଣ ହାର ୧୦% ତଳକୁ ଖସିନାହିଁ । ତେଣୁ ରାଜ୍ୟ ସରକାର ଆସନ୍ତା ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବଭଳି ସପ୍ତାହନ୍ତ ସଟଡାଉନ ସହ ସମସ୍ତ କଟକଣା ବଳବତ୍ତର ରହିବ । ବାହାଘର, ବ୍ରତଘର, ଅନ୍ତ୍ୟେଷ୍ଟ୍ରି କର୍ମରେ କୌଣସି ଭୋଜି ଭାତ ହୋଇପାରିବିନି ।
ନିୟମ ଅନୁଯାୟୀ ଯେତିକି ଲୋକଙ୍କୁ ଅନୁମତି ମିଳିବ, କେବଳ ସେତିକି ଲୋକେ ଏସବୁ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ । ପୂର୍ବଭଳି ବସ୍ ଚଳାଚଳ ବନ୍ଦ ରହିବ ।ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଖୋଲା ଯିବନି । ପୂର୍ବଭଳି ମାଲ୍ ପରିବହନ ଗାଡ଼ି ଚଳପ୍ରଚଳ କରିପାରିବ । ସ୍ୱାସ୍ଥ୍ୟ ସେବା, କୃଷି, ଶିଳ୍ପ, ବ୍ୟାଙ୍କ, ଜରୁରୀ ସେବା, ଟେଲିକମ, ବିଦ୍ୟୁତ ସେବା, ଜଳ ଯୋଗାଣ ଆଦି କାର୍ଯ୍ୟକୁ କଟକଣାମୁକ୍ତ ରଖାଯାଇଛି ।
ରାଜ୍ୟ ବାହାରୁ ଓଡ଼ିଶା ଆସୁଥିବା ଲୋକଙ୍କୁ ୪୮ ଘଣ୍ଟା ଭିତର ଆରଟିପିସିଆର କିମ୍ବା ଆଣ୍ଟିଜେନ୍ କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ହେବ । ଦୁଇ ଡୋଜ ଟିକା ନେଇଥିଲେ ଟିକାକରଣ ପ୍ରମାଣପତ୍ର ଦେଖାଇ ମଧ୍ୟ ଆସି ହେବ । ଏସବୁ ନଥିଲେ ଘରେ କିମ୍ବା ସରକାରୀ କେନ୍ଦ୍ରରେ ୭ ଦିନ କ୍ୱାରେଣ୍ଟାଇନ ରହିବାକୁ ପଡ଼ିବ ।
ଶ୍ରୀ ମହାପାତ୍ର କହିଛନ୍ତି, ନୂଆପଡ଼ା, ସୁନ୍ଦରଗଡ଼ ଓ ଗଜପତିରେ ସଂକ୍ରମଣ ହାର ୧୦% ତଳକୁ ଖସିଥିବାରୁ ସେଠାରେ ଲକଡାଉନ କୋହଳ କରାଯାଉଛି । ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତଥାପି ସ୍ଥିତି ଉପରେ ନଜର ରଖାଯିବ । ଯଦି ସଂକ୍ରମଣ ବଢ଼ିବ, ତେବେ କୋହଳ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ପୁନଃ କଟକଣାକୁ କଡ଼ାକଡ଼ି କରାଯିବ । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର ଦ୍ରୁତ ଗତିରେ ଖସିଲେ, କଟକଣାକୁ ପର୍ଯ୍ୟାୟ କ୍ରମେ କୋହଳ କରାଯିବ ।
ଦେଶର ଯେଉଁ ସବୁ ରାଜ୍ୟରେ କରୋନା ସଂକ୍ରମଣ ସର୍ବାଧିକ ରହୁଥିଲା, ସେଠାରେ ଏବେ ସଂକ୍ରମଣ କମିଲାଣି । ସେହିପରି ପ୍ରଥମେ ଦ୍ରୁତ ଗତିରେ ପଶ୍ଚିମ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକରେ କରୋନା ବ୍ୟାପୁଥିଲା, ସେଠାରେ ବି ଏବେ ସଂକ୍ରମଣ କମୁଛି । ଆଶା କରୁଛୁ, ବାକି ଜିଲ୍ଲାରେ ବି କମିବ । ୧୬ ଦିନ ଭିତରେ ଓଡ଼ିଶାରେ ସଂକ୍ରମଣ ହାର ଢେର କମିବ ବୋଲି ଆଶା ରଖିଛୁ । ଏଥିପାଇଁ ରାଜ୍ୟବାସୀ ସହଯୋଗ ଲୋଡ଼ା । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ନିହାତି ଆବଶ୍ୟକ ନଥିଲେ ବାହାରକୁ ଯିବା ନାହିଁ । ଏହି ନିୟମକୁ ମାନିଲେ କରୋନା ବିପଦ କମିବ । ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟକୁ ହରାଇବାକୁ ହେଲେ ଆମକୁ ସତର୍କ ରହିବାକୁ ପଡ଼ିବ ।