
ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାକୁ ଫେରିବ କି ଆମ୍ ଆଦ୍ମୀ ପାର୍ଟି? ଭୋଟଗ୍ରହଣ ପରେ ଆଜି ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ରେ ଏମିତି କିଛି ପୂର୍ବାନୁମାନ କରାଯାଇଛି। ପୂର୍ଣ୍ଣ ବହୁମତ ସହ କେଜରିଓ୍ୱାଲ୍ କ୍ଷମତାକୁ ଫେରିବା ଅଧିକାଂଶ ଏକ୍ଜିଟ୍ ପୋଲ ସର୍ଭେରେ ଦର୍ଶାଯାଇଛି।
ବିଜେପି ନିଜ ସ୍ଥିତି ସୁଧାରିବା ସହ ଦ୍ୱିତୀୟ ସ୍ଥାନ ଅଧିକାର ସମ୍ଭାବନା ଥିବା ବେଳେ ଗତ ନିର୍ବାଚନ ଭଳି କଂଗ୍ରେସ ଏଥର ମଧ୍ୟ ଖାତା ଖୋଲିପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ନ୍ୟୁଜ୍ ଏକ୍ସ ଏକ୍ଜିଟ୍ ପୋଲ୍ ଅନୁସାରେ, ଆପ୍ ୫୩ରୁ ୫୭ ଟି ଆସନ ଜିତି ବିପୁଳ ବହୁମତ ହାସଲ କରିବ ବିଜେପି ୧୧ରୁ ୧୭ ଓ କଂଗ୍ରେସକୁ ୨ଟି ଆସନ ମିଳିପାରେ।
ସେହିପରି ରିପବ୍ଲିକ୍ ଜନ୍କି ବାତ୍ରେ ଆପ୍କୁ ୪୮ରୁ ୬୧, ବିଜେପିକୁ ୯ରୁ ୨୧ ଆସନ ଦେଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି ଦର୍ଶାଇଛି।
ଟାଇମ୍ସ ନାଓ ସର୍ଭେ ଅନୁସାରେ, ଆପ୍ ୪୪ ଓ ବିଜେପି ୨୬ଟି ଆସନ ଜିତିବ, କଂଗ୍ରେସ କୌଣସି ସିଟ୍ ଜିତି ପାରିବ ନାହିଁ. ଇଣ୍ଡିଆ ଟିଭି ସର୍ଭେ ମଧ୍ୟ ଆପ୍ ଓ ବିଜେପିକୁ ସମାନ ସଂଖ୍ୟକ ଆସନ ମିଳିବା ନେଇ ଆକଳନ କରିଛି। ତେବେ ଇଣ୍ଡିଆ ନ୍ୟୁଜ୍ ନେସନ୍ ଆପ୍ ୫୫, ବିଜେପି- ୧୪ ଓ କଂଗ୍ରେସ ଗୋଟିଏ ଆସନ ପାଇବା ଆକଳନ କରିଛି।
ସେହିପରି C-VOTERରେ ଆପ୍କୁ ୪୯ରୁ ୬୩ ବିଜେପିକୁ ୫ରୁ ୧୯ ଓ କଂଗ୍ରେସ ଶୂନରୁ ୪ଟି ସିଟ୍ ଦେଇଛି।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ଆଜି ମତଦାନ ହୋଇଛି। ଗତଥର ଆମ୍ ଆଦ୍ମୀ ପାର୍ଟି ୬୭ ଆସନ ଜିତିଥିବା ବେଳେ ବିଜେପି ୩ଟି ଆସନରେ ବିଜୟୀ ହୋଇଥିଲା ତେବେ ଆସନ୍ତା ୧୧ ତାରିଖରେ ମତ ଗଣନା ପରେ କିଏ ସରକାର ଗଢ଼ିବ ସେନେଇ ଚିତ୍ର ସ୍ପଷ୍ଟ ହେବ।