ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୯୬ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ୭୮ ଗୋଟି ଓ ସାମୁହିକ ୧୮ ଗୋଟି ରହିଥିବା ବେଳେ ୫ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଶିବିରରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ପୂର୍ତ୍ତ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ସମ୍ପର୍କିତ ଆପତ୍ତି ଅଭିଯୋଗର ଶୁଣାଣି କରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏଥିରେ ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢି, ଉପଜିଲ୍ଲାପାଳ ଧର୍ମଗଡ ଧୀମାନ ଚକମା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଚେତା ପାଣି ଏବଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l
ସଂଜୀବ କୁମାର ପଣ୍ଡା, ଭବାନୀପାଟଣା

Leave a Reply

Your email address will not be published. Required fields are marked *