
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଫସି ଗିରଫ ହୋଇଥିବା ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ଆଜି ଝାରପଡା ଜେଲରୁ ବାହାରିଛନ୍ତି। ଗତକାଲି(ସୋମବାର) ଓଡିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ନିମ୍ନ ଅଦାଲତଙ୍କ ସର୍ତ୍ତ ପୂରଣ କରିଥିବାରୁ ଜେଲ୍ରୁ ମୁକୁଳିଛନ୍ତି ବିଜୟ କେତନ ।
ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ୨୦୦୯ ବ୍ୟାଚର ଆଇଏଏସ ଅଫିସର ବିଜୟ କେତନଙ୍କୁ ଡିସେମ୍ବର ୩୦ ତାରିଖରେ ଭିଜିଲାନ୍ସ ଗିରଫ କରିଥିଲା। ପରେ ତାଙ୍କୁ ସସପେଣ୍ଡ କରାଯାଇଥିଲା। ଏହାପରେ ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଥିଲା।
ପୂର୍ବରୁ ସେ ଦୁଇଥର ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ବିଜୟଙ୍କ ବାଲେଶ୍ବର ବାସଭବନ ଓ ଅଫିସରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ଏହାସହିତ ମଧ୍ୟ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ପଦକ୍ଷେପ ନିଆଯାଇଥିଲା ।
ଅଭିଯୋଗ ଆସିବା ପରେ ଦୀର୍ଘ ଦିନ ଧରି ବିଜୟ କେତନଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ ।ମୋ ସରକାର ଲାଗୁ ହେବା ପରେ ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ଏହା ଥିଲା ପ୍ରଥମ ଘଟଣା। ‘ମୋ ସରକାର’କୁ ଆସିଥିବା ଅଭିଯୋଗ ଆଧାରରରେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା।