
ନୂଆଦିଲ୍ଲୀ : ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁରେ ଆଜି ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏହି ଘଟଣାରେ ସଂପୃକ୍ତ ଥିବା ଜେଏନୟୁ ଛାତ୍ର ସଂଘ ଦାବି କରିଛି। ଏହି ହିଂସାକାଣ୍ଡରେ ଜେଏନୟୁ ଛାତ୍ରସଂଘର ଅଧ୍ୟକ୍ଷ ଆଇସି ଘୋଷଙ୍କ ଉପରେ ଆକ୍ରମଣ କରାଯାଇଛି।
ଜେଏନୟୁଏସୟୁ ଦାବି କରିଛି ଯେ, ସାବରମତୀ ଓ ଅନ୍ୟ ହଷ୍ଟେଲରେ ଏବିଭିପିର ଛାତ୍ରମାନେ ପ୍ରବେଶ କରି ଆକ୍ରମଣ କରିଥିଲେ। ଏହାସହ ଏବିଭିପି ପଥରମାଡ ମଧ୍ୟ କରିଛି। ଏପରିକି ଜେଏନୟୁ ଛାତ୍ରସଂଘର ଅଧ୍ୟକ୍ଷ ଆଇସି ଘୋଷଙ୍କୁ ଆକ୍ରମଣ କରାଯାଇଛି।
ଆକ୍ରମଣ ପରେ ଆଇସିଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ତାଙ୍କୁ ମୁଖାପିନ୍ଧି ଆକ୍ରମଣ କରାଯାଇଥିବା ସେ କହିଛନ୍ତି। ତେବେ ଏବିଭିପିର କହିବାନୁସାରେ, ବାମଗୋଷ୍ଠୀର ଛାତ୍ରମାନେ ସେମାନଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ଏବିଭିପିର ପ୍ରାୟ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ୧୧ ଛାତ୍ରଙ୍କର କୌଣସି ପତ୍ତା ମିଳୁନାହିଁ।