
ଭଞ୍ଜନଗର (ସୁବାଶିଷ ମହାପାତ୍ର, ଓଡ଼ିଶା ଟୁଡେ) ୧୭/୧୨/୨୩: ୫- ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ରବିବାର ଭଞ୍ଜନଗର ଗସ୍ତରେ ଆସିଥିଲେ । କୁଲାଡ ଠାରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ୫- ଟି ଅଧ୍ୟକ୍ଷଙ୍କୁ ସଭା ସ୍ଥଳରେ ପହଞ୍ଚିବା ପୂର୍ବରୁ ଜିଲୁଣ୍ଡି ଛକ, ଭଞ୍ଜନଗର ଏନଏସି କାର୍ଯ୍ୟାଳୟ ଓ ଡିହପଢ଼ାଳ ଠାରେ ବହୁ ବିଜେଡି ନେତା ଓ କର୍ମୀ ସ୍ବାଗତ ଜଣାଇଥିଲେ । କୁଲାଡ଼ ଠାରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ୫- ଟି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।
୫- ଟି ଅଧ୍ୟକ୍ଷ ପ୍ରଥମେ କୁଲାଡ଼ ମା’ ବ୍ୟାଘ୍ରଦେବୀ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହାପରେ କୁଲାଡ଼ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ଆୟୋଜିତ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ ଶ୍ରୀ ପାଣ୍ଡିଆନ । ବିକ୍ରମ ବାବୁ ବିଧାୟକ ଥିବା ପର୍ଯ୍ୟନ୍ତ ଭଂଜନଗରରେ କୌଣସି ଅସୁବିଧା ରହିବ ନାହିଁ । ଯେତେବେଳେ ଅଞ୍ଚଳର ବିକାଶ ପାଇଁ ଯାହା ଅର୍ଥ ଦରକାର, ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ ଅର୍ଥ ମଞ୍ଜୁର କରି ନିଅନ୍ତି ଶ୍ରୀ ଆରୁଖ, ତେଣୁ ଭଞ୍ଜନଗର ର ଅସୁବିଧା କଥା ଆମେ କେବେ ଚିନ୍ତା କରିନାହୁଁ ବୋଲି ଶ୍ରୀ ପାଣ୍ଡିଆନ ସଭାରେ ଜନସାଧାରଣଙ୍କୁ ଜଣାଇଥିଲେ ।
ଫେବୃଆରୀ ମାସ ଠାରୁ ଗଞ୍ଜାମରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ର ସୁଫଳ ଛାତ୍ରଛାତ୍ରୀ ମାନେ ଏବଂ ମା ମାନେ ପାଇ ପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ସମସ୍ତ ସରକାରୀ ସ୍କୁଲ, କଲେଜ ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି, ଯଦ୍ୱାରା ସରକାରୀ ସ୍କୁଲ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ, ବିଜ୍ଞାନାଗାର ସୁବିଧା ପାଇ ପାରିବେ। ସେହିପରି କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି। ଆଗାମୀ ଦୁଇ ମାସ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଆମ ବ୍ୟାଙ୍କ୍ ସେବା ଯୋଗାଇ ଦିଆଯିବ, ଫଳରେ ହିତାଧିକାରୀ ମାନେ ଲାଭବାନ ହୋଇପାରିବେ । ଏଥି ସହିତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ ଶ୍ରୀ ପାଣ୍ଡିଆନ ।
ସ୍ଥାନୀୟ ବିଧାୟକ ବିକ୍ରମ ବାବୁଙ୍କ ଯୋଗୁଁ ଏହା ସମ୍ଭବ ହୋଇ ପାରୁଛି, ରାଜ୍ୟରେ ଭଞ୍ଜନଗର କୁ ଏକ ନମ୍ବର କରିବାକୁ ଯାହା ସାହାଯ୍ୟ ସହଯୋଗ ଦରକାର ମୁଖ୍ୟମନ୍ତ୍ରୀ କରିବେ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି ।
ଭଞ୍ଜନଗରଠାରେ ୧୯୧୩କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ୧୨୦କୋଟି ବ୍ୟୟରେ ନୂଆଗାଁଠାରେ ଋଷିକୁଲ୍ୟା ନଦୀର ଜଳସେଚନ ଯୋଜନା, ୩୦ କୋଟି ୬୨ଲକ୍ଷ ବ୍ୟୟରେ ଢୋଲପିଟା ବଡନଦୀରେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସଂପର୍କରେ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିଥିଲେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ଆୟୋଜିତ ସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।