ନ୍ୟାସନାଲ ହେରାଲ୍ଡ ମାମଲାରେ ବଡ ଆକ୍ସନ: ୭୫୨ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ (ଏଜେନ୍ସି): ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଗାନ୍ଧୀ ପରିବାର ସହ ଜଡିତ ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ଦେଶର ବିଭିନ୍ନ ସ୍ଥାନରେ ଥିବା ୭୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ସଂସ୍ଥା । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛି । ଏହି ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀରେ ଥିବା ହେରାଲ୍ଡ ହାଉସ, ଲକ୍ଷ୍ନୌରେ ଥିବା ନେହୁରୁ ଭବନ ଓ ମୁମ୍ବାଇ ସ୍ଥିତ ନେହେରୁ ଭବନ ମଧ୍ୟ ରହିଛି । ଏଥିରୁ କିଛି ଜବତ ସମ୍ପତ୍ତି ଗାନ୍ଧୀ ପରିବାର ସହ ଜଡ଼ିତ ।

ତେବେ ଏହି ସମ୍ପତ୍ତି ମଧ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଜଡିତ କମ୍ପାନୀ ‘ୟଙ୍ଗ୍‌ ଇଣ୍ଡିଆ’ର ମାଲିକାନାରେ ଥିବା ୯0 କୋଟି ସମ୍ପତ୍ତି ମଧ୍ୟ ରହିଛି । ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଇଡି ଟ୍ବିଟ କରି ସୂଚନା ଦେଇଛି । ପିଏମଏଲଏ ଆକ୍ଟ-୨୦୦୦ ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇଡି କହିଛି । ତେବେ ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ଟାର୍ଗେଟ୍‌ କରିଛି । ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏହି କାର୍ଯ୍ୟାନୁଷ୍ଠାନକୁ ଜାରି ରହିଥିବା ବିଧାନସଭା ନିର୍ବାଚନ ସହ ଯୋଡ଼ିଛନ୍ତି । ବିଧାନସଭା ନିର୍ବାଚନରେ ପରାଜୟରୁ ଧ୍ୟାନ ହଟାଇବା ପାଇଁ ଏହା ଏକଛତ୍ରବାଦୀ କାର୍ଯ୍ୟାନୁଷ୍ଠାନ ବୋଲି ସିଙ୍ଗଭି କହିଛନ୍ତି ।

ପୂର୍ବରୁ ଏହି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଜାତୀୟ ତଦନ୍ତକାରୀ ସଂସ୍ଥା ସ୍କାନରରେ ରହିଛନ୍ତି । ଉଭୟଙ୍କୁ ମାରାଥନ ଜେରା କରିସାରିଛି ଇଡି । ପ୍ରଥମେ ରାହୁଲଙ୍କୁ ଜେରା କରାଯାଇଥିଲା । ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ମା’ ସୋନିଆଙ୍କୁ ପରବର୍ତ୍ତୀ ସମୟରେ ଜେରା କରିଥିଲେ । ତେବେ କିଛି ଦିନର ନୀରବତା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପୁଣି ଥରେ ଏହି ମାମଲାରେ ସକ୍ରିୟ ନଜର ଆସିଛି । ଏବେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ବର୍ଷ (2024)ରେ ସାଧାରଣ ନିର୍ବାଚନ ମଧ୍ୟ ରହିଛି । ଏହା ପୂର୍ବରୁ ଏବେ ହଠାତ ମାମଲାରେ ଇଡି ସମ୍ପତ୍ତି ଜବତ କରିବା ପରେ କଂଗ୍ରେସ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛି ।

Leave a Reply

Your email address will not be published. Required fields are marked *