୮୦ ବର୍ଷୀୟ ବରିଷ୍ଠ ପୋଲିସ ପ୍ରଶାସକ ତଥା କ୍ରୀଡ଼ାବିତ୍ ଭକ୍ତ ବଲ୍ଲଭ ଦାସ (ଗଟୁ ଭାଇ)ଙ୍କୁ ତାଙ୍କ ନିଜ ବାସଭବନରେ ସାକ୍ଷାତ
ଅବସର ପରେ ମଧ୍ୟ କ୍ରୀଡ଼ା, ଶିକ୍ଷା ଓ ସାମାଜିକ କାର୍ଯ୍ୟରେ ସକ୍ରିୟ
କଟକ: ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଏବଂ ସେମାନଙ୍କ ସହ ଆତ୍ମୀୟତାର ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହଙ୍କ ପକ୍ଷରୁ ଜାରି ରହିଛି ଏକ ନିଆରା ମାନବୀୟ ପ୍ରୟାସ – ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ମେୟର ଶ୍ରୀ ସୁବାସ ସିଂହ ଆଜି କଟକର ଜଣେ ବରିଷ୍ଠ ତଥା ପରିଚିତ ବ୍ୟକ୍ତିତ୍ୱ, ଦକ୍ଷ ପୋଲିସ ପ୍ରଶାସକ ଓ କ୍ରୀଡ଼ା ସଂଗଠକ ଶ୍ରୀ ଭକ୍ତ ବଲ୍ଲଭ ଦାସ (ଗଟୁ ଭାଇ)ଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ୮୦ ବର୍ଷ ବୟସରେ ପଦାର୍ପଣ କରିଥିବା ଶ୍ରୀ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା, ଦୈନନ୍ଦିନ ଜୀବନ ଓ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ମେୟର ଆତ୍ମୀୟତାର ସହ ପଚାରି ବୁଝିଥିଲେ।
ଦୀର୍ଘ ପୋଲିସ ସେବା ଜୀବନରେ ନିଜର ଦକ୍ଷତା ଓ ଅଭିଜ୍ଞତା ପାଇଁ ପରିଚିତ ଶ୍ରୀ ଦାସ କଟକରେ ଥାନା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରି ଏସ୍ପି ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିଲେ। ୨୦୦୬ ମସିହାରେ ଢେଙ୍କାନାଳରୁ ଆରକ୍ଷୀ ଅଧୀକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। କଟକ ସହରର ପୂଜାପର୍ବାଣୀ, ସାହିଗଣ୍ଡାର ବିବାଦ ଓ ଆଇନଶୃଙ୍ଖଳା ପରିସ୍ଥିତିର ସମାଧାନ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ୧୯୯୧ ମସିହାର ମଦମୃତ୍ୟୁ ଘଟଣା ଓ ବ୍ୟାଙ୍କ ଡକାୟତି ମାମଲାର ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ମଧ୍ୟ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା।
ଅବସର ପରେ ମଧ୍ୟ ଶ୍ରୀ ଦାସ ନିଜକୁ କ୍ରୀଡ଼ା ଓ ଶିକ୍ଷାର ବିକାଶରେ ନିୟୋଜିତ ରଖିଛନ୍ତି। ସେ ବର୍ତ୍ତମାନ ଓଡ଼ିଶା ଯୋଗ ଆସୋସିଏସନ୍ର ସଭାପତି ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ବିଦ୍ୟାଳୟ ସ୍ତରରେ ଆନ୍ତଃବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିବାରେ ତାଙ୍କର ଅବଦାନ ରହିଛି। ଏଥିସହିତ ଟାଙ୍ଗୀଠାରେ ଏକ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରତିଷ୍ଠା କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ନିଜର ଅବଦାନ ଜାରି ରଖିଛନ୍ତି।
ଏହି ସାକ୍ଷାତ ସମୟରେ ମେୟର ଶ୍ରୀ ସୁବାସ ସିଂହ ଶ୍ରୀ ଦାସଙ୍କ ଦୀର୍ଘ ପୋଲିସ ସେବା, କ୍ରୀଡ଼ା ସଂଗଠନ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅବସର ପରେ ମଧ୍ୟ ସମାଜ ପାଇଁ ନିଜର ଅଭିଜ୍ଞତା ଓ ସମୟକୁ ଉପଯୋଗ କରିବା ଏକ ପ୍ରଶଂସନୀୟ ଉଦାହରଣ ବୋଲି ସେ ମତ ପ୍ରକାଶ କରିଥିଲେ।
କଟକ ମହାନଗର ନିଗମର ଏହି ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ମେୟର ଶ୍ରୀ ସୁବାସ ସିଂହ ସହରର ବରିଷ୍ଠ ନାଗରିକ, ବିଶିଷ୍ଟ ବ୍ୟକ୍ତିତ୍ୱ ଓ ସମାଜ ପାଇଁ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ସାକ୍ଷାତ କରି ସେମାନଙ୍କ ସୁଖଦୁଃଖ ବୁଝିବା ସହ ସେମାନଙ୍କ ଅନୁଭୂତି ଓ ଜୀବନ ସଂଘର୍ଷକୁ ସମ୍ମାନ ଜଣାଇବାର ପ୍ରୟାସ ଜାରି ରଖିଛନ୍ତି।
ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଜତିନ୍ ବେହେରା, ଶ୍ରୀ ନିମାଇଁ ବିଶ୍ୱାଳ ଓ ଶ୍ରୀ ଅଶୋକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।