କଟକ, ତା ୦୭/୧୧/୨୦୨୬ ରିଖ : ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରଯାଇଥିଲା। ଅନ୍ୟପକ୍ଷରେ, ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱ, ରାସ୍ତା କଡର ମାଟି ଅଂଶ, ଜଳ ନିଷ୍କାସନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମିର ତୁରନ୍ତ ମରାମତି ଏବଂ ନିୟମିତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱରୋପ କରି ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଓ ଦୁର୍ଘଟଣାପ୍ରବଣ ରାସ୍ତାଗୁଡ଼ିକର ତୁରନ୍ତ ଯାଞ୍ଚ, ଦବିଯାଇଥିବା ରାସ୍ତା କଡ଼ର ମାଟି ଅଂଶର ପୁନରୁଦ୍ଧାର ଏବଂ ରାସ୍ତାର ଧାର ଭାଙ୍ଗିଯାଇଥିବା ସ୍ଥାନଗୁଡ଼ିକର ମରାମତି ଏବଂ ରାସ୍ତାର ଦୁଇ ପାର୍ଶ୍ଵରେ ରେଡିୟମ ଲାଇଟ ଲାଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କଲେ ଦୁର୍ଘଟଣା ହ୍ରାସ ସହ ଯାତାୟାତ ବ୍ୟବସ୍ଥା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ଆଲୋଚନା ବୈଠକରେ ଜିଲ୍ଲାପାଳ ମତବ୍ୟକ୍ତ କରି ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ, ପାର୍ଶ୍ୱ ଡ୍ରେନ୍ ଓ କଲଭର୍ଟ ସଫା କରିବା, ରାସ୍ତାରୁ କାଦୁଅ, ଗଛଲତା ଓ ଅନ୍ୟାନ୍ୟ ବାଧା ହଟାଇବା, କ୍ଷତିଗ୍ରସ୍ତ କ୍ରାସ୍ ବ୍ୟାରିୟର, ସାଇନ୍ବୋର୍ଡ ଓ ରୋଡ୍ ମାର୍କିଂ ମରାମତି କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ରାଜ୍ୟରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ସହ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ତ୍ୱରିତ ସହାୟତା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ରାସ୍ତା’ ନାମକ ହ୍ୱାଟ୍ସଆପ୍ ଆଧାରିତ ରୋଡ୍ ଆକ୍ସିଡେଣ୍ଟ ରେସପନ୍ସ ଚାଟ୍ବଟ୍ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ଆଲୋଚନା ହୋଇଥିଲା। ଏହି ବ୍ୟବସ୍ଥା ମାଧ୍ୟମରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ସୂଚନା ପ୍ରଦାନ, ସୂଚନାର ଶୀଘ୍ର ପ୍ରସାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ। ଦୁର୍ଘଟଣା ସମ୍ପର୍କରେ ଚାଟ୍ବଟ୍ରେ ସୂଚନା ଦାଖଲ ହେବା ମାତ୍ରେ ସମ୍ପୃକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO), ପୋଲିସ, ମାଷ୍ଟର ଟ୍ରେନର, ରକ୍ଷକ ଓ ଜୁନିୟର ରକ୍ଷକଙ୍କ ନିକଟରେ ସୂଚନା ପହଞ୍ଚିବ। ଫଳରେ ଦୁର୍ଘଟଣାସ୍ଥଳରେ ତୁରନ୍ତ ସହାୟତା ଯୋଗାଇଦେବା ସହଜ ହେବ । ସମସ୍ତ ଥାନାକୁ ‘ଆମ ରାସ୍ତା’ ବ୍ୟବସ୍ଥା ସମ୍ପର୍କରେ ସଚେତନ କରିବା, ପୋଲିସ କର୍ମଚାରୀଙ୍କୁ ଏହାର କାର୍ଯ୍ୟପ୍ରଣାଳୀ ସହ ପରିଚିତ କରାଇବା ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ଉପରେ ଜୋର ଦିଆଯାଇଛି । ଅନ୍ୟପକ୍ଷରେ ରାସ୍ତାରେ ବୁଲା ଗୋରୁଗାଈଙ୍କ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ଖାଲି ଥିବା ସ୍ଥାନରେ ଗୋଶାଳା ନିର୍ମାଣ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରି ବିଭିନ୍ନ ସ୍ଥାନରେ ସମୟ ସମୟରେ ଚଢ଼ାଉ ଓ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇ ମଦ୍ୟପାନ କରି ଗାଡି ଚଲାଉଥିବା, ବିନା ହେଲମେଟରେ ଗାଡି ଚଲାଉଥିବା ଚାଳକମାନଙ୍କଠାରୁ ପ୍ରଚଳିତ ନିୟମାନୁଯାୟୀ ଜରିମାନା ଆଦାୟ କରାଯାଉଛି ଏବଂ ଆଗକୁ ଏହା ଆହୁରି କଡା କଡି କରାଯିବା ସଂପର୍କରେ ସୂଚିତ କରିଥିଲେ।ପ୍ରକାଶଥାଉକି ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଡକ ଦୁର୍ଘଟଣା ଅପେକ୍ଷାକୃତ ଭାବେ ହ୍ରାସ ପାଇଛି । ପ୍ରକାଶଥାଉକି ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ୮୭ଲକ୍ଷ ୬ ହଜାର ୮୬୧ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଏହି ଆଭାସୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ପ୍ରତିମା ବେହେରା, ଅତିରିକ୍ତ ପୋଲିସ ଉପ-ଆୟୁକ୍ତ ଶ୍ରୀ ଅମରେନ୍ଦ୍ର ପଣ୍ଡା , ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପ୍ରତିନିଧି ସୁନୀଲ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀମନେ ଯୋଗଦେଇଥିଲେ।