କଟକ: କଟକ ସହରର ବାଦାମବାଡ଼ି ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି ବାଦାମବାଡ଼ି ଥାନା ପୋଲିସ। ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମ୍ ମେସିନ୍ ଭାଙ୍ଗି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଘଟଣାସ୍ଥଳରୁ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ବିହାର ରାଜ୍ୟର ଅଶ୍ୱନୀ କୁମାର (୩୪) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୪ ତାରିଖ ରାତି ପ୍ରାୟ ୧୧ଟା ୨୦ ମିନିଟ୍ ସମୟରେ ବାଦାମବାଡ଼ିସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ରେ ଜଣେ ଅଜଣା ବ୍ୟକ୍ତି ଭଙ୍ଗାରୁଜା କରି ଟଙ୍କା ଲୁଟ୍ ଉଦ୍ୟମ କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ସୂଚନା ପାଇ ବାଦାମବାଡ଼ି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ହାତେନାତେ ଧରିଥିଲା। ତେବେ ଏହି ଉଦ୍ୟମ ସମୟରେ ଏଟିଏମ୍ ମେସିନ୍ର ତଳ ଭାଗ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଏନେଇ CMS ଇନଫୋ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରୋଜେକ୍ଟ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ନଭେମ୍ବର ୫ ତାରିଖରେ ବାଦାମବାଡ଼ି ଥାନାରେ କେସ୍ ନମ୍ବର ୫୪୯/୨୦୨୬ ରୁଜୁ ହୋଇଛି। ଏହି ମାମଲାରେ ବିଏନ୍ଏସ୍ର ଧାରା ୩୦୫(ଏ), ୩୨୪(୪) ଓ ୬୨ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି।
ଗିରଫ ଅଶ୍ୱନୀ କୁମାର ବିହାରର ଭୋଜପୁର ଜିଲ୍ଲା ଅନ୍ତର୍ଗତ ପିରୋ ଥାନା ଅଧୀନ ରାଜାପୁର ଗ୍ରାମର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ନିକଟରୁ ଦୁଇଟି ସନ୍ଦିଗ୍ଧ ଏଟିଏମ୍ କ୍ୟାଶ୍ ଟ୍ରାପିଂ ଷ୍ଟ୍ରିପ୍, ଗୋଟିଏ କମ୍ବିନେସନ୍ ପ୍ଲାୟର୍ସ, ଡବଲ୍ ସାଇଡ୍ ଆଡ୍ହେସିଭ୍ ଟେପ୍ର ଏକ ରୋଲ୍, ‘ସନି’ ଲେଖାଥିବା ଧୂସର ରଙ୍ଗର ହେଲମେଟ୍, ଟିଭିଏସ୍ ଭିକ୍ଟର ମୋଟରସାଇକେଲ୍, ନଗଦ ୧୮ ହଜାର ଟଙ୍କା, ରାମକୃଷ୍ଣ ମହାପାତ୍ରଙ୍କ ନାମରେ ଥିବା ଏକ ଏସ୍ବିଆଇ ଏଟିଏମ୍ କାର୍ଡ ଏବଂ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଏଟିଏମ୍ରୁ ଟଙ୍କା ଲୁଟ୍ ହେବା ପୂର୍ବରୁ ଅଭିଯୁକ୍ତ ଧରାପଡ଼ିଛି। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ଏବଂ ଜବତ ସାମଗ୍ରୀ ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।