କଟକ,
6.11.26
ଜମି ବିକ୍ରି କବଲା ପଞ୍ଜୀକରଣ କରିବା ପାଇଁ ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଆପାଳ ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର। ଆଜି ୬ ନଭେମ୍ବର ୨୦୨୬ରେ ଜଣେ ଜମି କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।
ସୂଚନା ଅନୁଯାୟୀ, ୦.୧୪ ଡେସିମିଲ୍ ପରିମିତ ‘ବାଜ୍ୟାପ୍ତି ସ୍ଥିତିବାନ’ କିସମ ଜମିର ବିକ୍ରି କବଲା ପଞ୍ଜୀକରଣ କରିବା ପାଇଁ ଜମି କ୍ରେତା ଆବେଦନ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ପଞ୍ଜୀକରଣ କରାଯାଇପାରିବ। ଏନେଇ କ୍ରେତା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍ରେଜିଷ୍ଟ୍ରାର ତାହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି।
ଏହା ବଦଳରେ ସେ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶିକୁ ୭ ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଆଜି ଚଢ଼ାଉ କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ମନୀଷା ମିଶ୍ରଙ୍କୁ ଧରିଥିଲା।
ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି।
ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୬/୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗଦେଇଥିବା ବେଳେ ବାଲିଆପାଳରେ ପ୍ରୋବେସନ୍ରେ ସବ୍ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ। ଘଟଣାର ତଦନ୍ତ ଜାରି ରହିଛି।