ଯୁବ ସାଂସଦ କାର୍ଯ୍ୟକ୍ରମ

କଟକ,୪।୧୧: ମାଇଁ ଭାରତ କଟକ ଓ ଜିଲ୍ଲା ପ୍ରଶାସନ କଟକର ମିଳିତ ଆନୁକୁଲ୍ୟରେ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ୨୦୨୭ ପ୍ରତିଯୋଗିତାରେ ଯୁବ ସାଂସଦ କାର୍ଯ୍ୟକ୍ରମ ବୁଧବାର ନେତାଜୀ ସାଂସ୍କୃତିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାଇଁ ଭାରତ କଟକ ଜିଲ୍ଲା ଯୁବ ଅଧିକାରୀ ରୋଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ବର୍ତ୍ତମାନ ପରିସ୍ଥିତିରେ ଯୁବଶକ୍ତିର ଭୂମିକା ଏବଂ ଗୋଟିଏ “ରାଷ୍ଟ୍ର ଗୋଟିଏ ନିର୍ବାଚନ” ଉପରେ ଆଲୋକପାତ କରିଥିଲେ। ସଂଳାପ ପ୍ରତିଯୋଗିତାରେ ବିଚାରକ ଭାବେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରାକ୍ତନ ଯୁଗ୍ମ ସଚିବ ପ୍ରଫେସର ଡ଼ଃ ସୁରେକ୍ଷା ସୁନ୍ଦରୀ ସ୍ଵାଇଁ, ଶିକ୍ଷାବିତ ପ୍ରଫେସର ଡ଼ କଲ୍ଲିମ ଉଲ୍ଲା,ବିଶ୍ୱନାହାକାଣୀ କଲେଜର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ପ୍ରଧାନ, ଅଧ୍ୟାପକ ଡ଼ ଅକ୍ଷୟ କୁମାର ନାୟକ, ପ୍ରାକ୍ତନ ଅଧ୍ୟାପକ ଡ଼ ଦେବେନ୍ଦ୍ର ନାଥ ବାରିକ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ପ୍ରଥମ ଶୁଭାଶିଷ ଦାସ, ଦ୍ଵିତୀୟ ସୁଧାଂଶୁ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ପନ୍ଦନ ନନ୍ଦଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣପତ୍ର ସହ ପୁରସ୍କାର ବଣ୍ଟନ କରାଯାଇଥିଲା।ଉକ୍ତ କୃତି ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡ଼ିଛି। ଶେଷରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରା ଧନ୍ୟବାଦ ଦେଇଥିଲେ।ଦେବଶ୍ରିତା ଦାସ ପରିଚାଳନା କରୁଥିବାବେଳେ ପ୍ରଦୀପ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ।