କଟକ ନାଟ୍ୟୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟର ଦ୍ୱିତୀୟ ଦିବସରେ ଚାରି ନାଟକ ମଞ୍ଚସ୍ଥ


କଟକ, ତା ୦୪.୧୧.୨୦୨୬ ରିଖ – ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ନାଟ୍ୟ ପ୍ରତିଭାକୁ ଚିହ୍ନଟ, ପ୍ରୋତ୍ସାହନ ଓ ଉପଯୁକ୍ତ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “କଟକ ନାଟ୍ୟୋତ୍ସବ–୨୦୨୬”ର ଚୂଡ଼ାନ୍ତ ପର୍ଯ୍ୟାୟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ଵିତୀୟ ଦିନର ପ୍ରଥମ ଆକର୍ଷଣ ଥିଲା ‘ସତ୍ୟ ଯେବେ କଥା କୁହେ” । ଆଇନ ମହାବିଦ୍ୟାଳୟ ପକ୍ଷରୁ ମଞ୍ଚସ୍ଥ ଏହି ନାଟକଟି ପରିବେଶ ସୁରକ୍ଷାକୁ ନେଇ ଏକ ଗଭୀର ବାର୍ତ୍ତା ପ୍ରଦାନ କରିଥିଲା। ପରେ ପରେ ରାଧାନାଥ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡି ଅଫ ଏଜୁକେସନ୍ ପକ୍ଷରୁ “ଜର୍ଜର” ନାଟକ ପରିବେଷିତ ହୋଇଥିଲା। ଏଥିରେ ନାଟ୍ୟକଳାର ଇତିହାସ ଓ ଏହାର କ୍ରମବିକାଶକୁ ଏକ ନିଆରା ଢଙ୍ଗରେ ମଞ୍ଚସ୍ଥ କରାଯାଇଥିଲା। ପରବର୍ତ୍ତୀ ପ୍ରଦର୍ଶନରେ ମୋହନ ସୁବୁଦ୍ଧି କଲେଜ ପକ୍ଷରୁ ପରିବେଶ ସୁରକ୍ଷା ଉପରେ ଆଧାରିତ “ମାନ-କି” ନାଟକ ଉପସ୍ଥାପିତ ହୋଇଥିଲା । ଏହି ନାଟକ ମାଧ୍ୟମରେ ପରିବେଶ ଓ ପ୍ରକୃତି ପ୍ରତି ମଣିଷର ଦାୟିତ୍ୱ ନେଇ ଏକ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ସେହିପରି ଆଜି ଦିନର ଶେଷ ନାଟକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ‘ଅଦୃଶ୍ୟ ଅପରାଧୀ’ । କନ୍ୟାଭ୍ରୂଣ ହତ୍ୟା, ନାରୀ ଜୀବନର ମୂଲ୍ୟ, ଲିଙ୍ଗଗତ ବୈଷମ୍ୟ ଓ ସମାଜର ମାନସିକତା ଆଦି ସମ୍ବେଦନଶୀଳ ସାମାଜିକ ସମସ୍ୟାକୁ ଆଧାର କରି ନାଟକଟି ଏକ ଶକ୍ତିଶାଳୀ ସନ୍ଦେଶ ଦେଇଥିଲା। ଯୁବ ନାଟ୍ୟଶିଳ୍ପୀମାନଙ୍କ ଦ୍ୱାରା ସଂଳାପ ପ୍ରସ୍ତୁତି, ମଞ୍ଚସଜ୍ଜା, ନିର୍ଦ୍ଦେଶନା ଓ ନାଟକର ନିଖୁଣ ଅଭିନୟ ଓ ଭାବପୂର୍ଣ୍ଣ ଉପସ୍ଥାପନା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଦ୍ଵିତୀୟ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଡେପୁଟି କଲେକ୍ଟର ଶତ୍ରୁପା ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋନାଲି କୁଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ନାଟ୍ୟୋତ୍ସବ କମିଟିର ଉପାଧ୍ୟକ୍ଷ ତଥା ସିନେ ତାରକା ଶ୍ରୀତମ ଦାସ ଉପସ୍ଥିତ ଥିଲେ। ଏଥିସହ ବିଚାରକ ଧୀର ମଲ୍ଲିକ, ନମ୍ରତା ଦାସ ଓ ହରିଶ ମହାନ୍ତିଙ୍କ ସମେତ ନାଟ୍ୟ ପରାମର୍ଶଦାତା ଅନନ୍ତ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାଶ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି କଟକ ନାଟ୍ୟୋତ୍ସବ–୨୦୨୬’ର ଚୂଡ଼ାନ୍ତ ପର୍ଯ୍ୟାୟ ଚାଲିବ।

Leave a Reply

Your email address will not be published. Required fields are marked *