କଟକ, ତା ୪.୧୦.୨୦୨୬, ରବିବାର – ‘ଉତ୍କଳ ସାହିତ୍ୟ ସମାଜ’ର ଲେଖକ କଲ୍ୟାଣ ପାଣ୍ଠିକୁ ଗତକାଲି ରେଭେନସା ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗମୁଖ୍ୟ ଡକ୍ଟର ଉର୍ମିଶ୍ରୀ ବେଦମତ୍ତା ୨୫ ହଜାର ଟଙ୍କା ଓ ବରିଷ୍ଠ ସାହିତ୍ୟିକା ସୁଷମା ପରିଜା ୧୦ ହଜାର ଟଙ୍କା Cheque ଆକାରରେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀଙ୍କ ମାଧ୍ୟମରେ ଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ – କିଛିଦିନ ତଳୁ ଏହି ପାଣ୍ଠିକୁ ବରିଷ୍ଠ ସାମ୍ୱାଦିକ ଓ ସ୍ତମ୍ଭକାର ତଥା ‘ଉତ୍କଳ ସାହିତ୍ୟ ସମାଜ’ର ପୂର୍ବତନ କର୍ମକର୍ତ୍ତା ଡକ୍ଟର ସତ୍ୟ ରାୟ ଏଵଂ ତାଙ୍କ ସହଧର୍ମିଣୀ ତଥା ପାକ୍ଷିକ ଖବରକାଗଜ ‘ବିଶ୍ୱାସ’ର ସମ୍ପାଦିକା କସ୍ତୁରୀ ରାୟ ୫୦ ହଜାର ୫ ଶହ ୫୫ ଟଙ୍କା, ବିଶିଷ୍ଟ ସାରସ୍ବତ ସାଧିକା ଡକ୍ଟର କବିତା ବାରିକ ୧ ଲକ୍ଷ ଟଙ୍କା, ବରିଷ୍ଠ କଥାଶିଳ୍ପୀ ସଂଯୁକ୍ତା ମହାନ୍ତି ୧୦ ହଜାର ଟଙ୍କା, ବରିଷ୍ଠ ଲେଖିକା ଲକ୍ଷ୍ମୀ ମିଶ୍ର ୧୦ ହଜାର ଟଙ୍କା ଓ ବିଶିଷ୍ଟ ଲେଖକ ଅଭିମନ୍ୟୁ ନାୟକ ୧୧ ହଜାର ଟଙ୍କା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ – ଏହି ପାଣ୍ଠିର ସୁଧରୁ ଆର୍ଥିକ ସଂକଟରେ ଥିବା ବିପଦଗ୍ରସ୍ତ ଲେଖକ-ଲେଖିକାଙ୍କୁ ସାହାଯ୍ୟ କରାଯିବ । ଏଣୁ ଏହି ପାଣ୍ଠିବୃଦ୍ଧି ନିମିତ୍ତ ସାହିତ୍ୟିକ, ସାହିତ୍ୟପ୍ରେମୀ, ସହୃଦୟ ତଥା ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସଂସ୍ଥା ମୁକ୍ତହସ୍ତରେ ଦାନ କରିବାକୁ ଅନୁଷ୍ଠାନର କର୍ମକର୍ତ୍ତା ଏଵଂ କାର୍ଯ୍ୟ ନିର୍ବାହିକା ସମିତି ସଭ୍ୟବୃନ୍ଦ ନିବେଦନ କରିଛନ୍ତି ।
ଦାତାମାନେ Cheque କର୍ମକର୍ତ୍ତାଙ୍କୁ ଡାକି କିମ୍ୱା ପାଖକୁ ଆସି ଅଥବା ଡାକ / କୋରିଅର୍ ଯୋଗେ Utkal Sahitya Samaj ନାମରେ ଦେଇପାରିବେ । ଆହୁରି ମଧ୍ୟ ଉତ୍କଳ ସାହିତ୍ୟ ସମାଜର State Bank of India, C.T. Branch, College Square, Katak ରେ ଥିବା ଆକାଉଣ୍ଟ ନମ୍ବର – 10508850221, ଆଇଏଫଏସସି କୋଡ୍ – SBIN0001663 ଜରିଆରେ ଅର୍ଥରାଶି ପଠାଇପାରିବେ ।
– ଯୋଗାଯୋଗ –
ରାଜୀବ କୁମାର ଷଡ଼ଙ୍ଗୀ
ସାଧାରଣ ସଂପାଦକ
ଉତ୍କଳ ସାହିତ୍ୟ ସମାଜ, କଟକ
ଫୋନ୍ – ୯୪୩୯୭୩୫୩୧୧