
କଟକ ତା ୦୨.୧୦.୨୦୨୬ରିଖ- ଗାନ୍ଧିଦର୍ଶନ ସମସ୍ତଙ୍କ ଜୀବନର ଅଂଶବିଶେଷ ହେଉ । ଐତିହାସିକ ଗାନ୍ଧୀ ସ୍ମୃତିପୀଠ ତେଲେଙ୍ଗାପେଣ୍ଠଠାରେ ଆୟୋଜିତ କଟକ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କଟକ ଲୋକସଭା ସାଂସଦ ଡଃ. ଭର୍ତ୍ତୃହରି ମହତାବ ଏହା କହିଛନ୍ତି । ଗାନ୍ଧୀଜୀଙ୍କ ଜୀବନାଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁପାଳନ ହେବ ଗାନ୍ଧୀଜୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଗାନ୍ଧିଜୀ କର୍ମ ଏବଂ କର୍ତ୍ତବ୍ୟ ପାଳନ ଉପରେ ବିଶ୍ଵାସ କରନ୍ତି କାରଣ ତାହା ନିଜକୁ ଆତ୍ମସନ୍ତୋଷ ପ୍ରଦାନ କରିବା ସହ ଅନ୍ୟମାନଙ୍କୁ ସନ୍ତୋଷ ପ୍ରଦାନ କରିଥାଏ । ଆମ ଦୈନନ୍ଦିନ ଜୀବନ ଶୈଳୀରେ ଖଦି ପରିଧାନ ଉପରେ ଗୁରୁତ୍ଵ ଦେଇ ବର୍ଷକୁ ଅତି କମରେ ଦୁଇ ଥର ଖଦି ବସ୍ତ୍ର କ୍ରୟ ତଥା ପରିଧାନ କରିବାକୁ ଶ୍ରୀ ମହତାବ ଆହ୍ଵାନ ଦେଇଛନ୍ତି । ସେହିପରି ଗାନ୍ଧିବାଦକୁ ନିଜ ଜୀବନରେ ଆପଣେଇବା, ପରିବେଶ ସୁରକ୍ଷିତ ରଖିବା, ସ୍ୱଚ୍ଛତାକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ଆଦି ଉପରେ ଗୁରୁତ୍ବଆରୋପ କରିବା ସହ ମହାତ୍ମାଗାନ୍ଧିଙ୍କ ଆଦର୍ଶକୁ ଆମେ ନିଜ ଜୀବନରେ ପାଳନ କରି ଦେଶର ପ୍ରଗତି ପଥରେ ସହାଭାଗୀ ହେବାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି । ଗାନ୍ଧୀ ସ୍ମୃତି ପୀଠର ଉନ୍ନତିକରଣ କରାଯାଇ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ଦ୍ଵାରା ଅରଟରେ ଲୁଗା ବୁଣା କାର୍ଯ୍ୟ କରାଯାଇ ସେହି ସ୍ଥାନକୁ ଚଳଚଞ୍ଚଳ କରାଯିବ ବୋଲି ସେ କହିଛନ୍ତି । ବିଧାୟକଙ୍କ ସମେତ କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରଣ ଦୀପ କୌର ସହୋତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ , ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ମହାନଗର ନିଗମ ୫୯ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ମମତା ମହାନ୍ତି ତଥା ଅନ୍ଯାନ୍ଯ ଅଧିକାରୀ ଓ ବୁଦ୍ଧିଜୀବି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସର୍ବଧର୍ମ ପ୍ରଥନା ସଭାରେ କୃଷ୍ଣପ୍ରସାଦ ପାଢୀଙ୍କ ଦ୍ଵାରା ଗୀତା, ସନ୍ଦୀପ ନାୟକଙ୍କ ଦ୍ଵାରା ବାଇବେଲ ଓ ତାଜଉଦ୍ଦିନ ଖାନଙ୍କ ଦ୍ଵାରା କୋରାନ ପାଠ କରାଯିବା ସହିତ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ସ୍ମୃତି ପୀଠର ବରିଷ୍ଠ କାର୍ଯକର୍ତା ପୀତବାସ ମହାପାତ୍ର, ପ୍ରତାପ ରାଉତରାୟ, ନିହାର ରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ଓଡିଶା ଅଗମନର ସ୍ମୃତି ଏବଂ ଗାନ୍ଧୀଜୀଙ୍କ ଆଦର୍ଶ ଓ ବାଣୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ମାନଙ୍କରେ ଆୟୋଜିତ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ଯାଳୟ ପକ୍ଷରୁ ରାମଧୁନ ପରିବେଷଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ଯାଳୟ ଓ କଟକ ମହାନଗର ନିଗମର ମିଳିତ ଆନୁକୁଲ୍ଯରେ ଆୟୋଜିତ ସଭାକାର୍ଯ୍ୟକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋନାଲୀ କୁଣ୍ଡ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।