ଗାନ୍ଧୀ ଜୟନ୍ତୀ ଅବସରରେ ବିଶ୍ୱବିଦ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ବାରିପଦା ତା୦୨/୧୦/୨୦୨୬ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀକୁ ଆଧାର କରି ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍. ଏସ୍.ଏସ୍. ) ବ୍ୟୁରୋ ଓ ସ୍ନାତକୋତ୍ତର ୟୁନିଟ୍‌ର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସ୍ୱଚ୍ଛତା ଅଭିଯାନରେ ମାନ୍ୟବର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ସ୍ୱଚ୍ଛତାର ଗୁରୁତ୍ୱ ଏବଂ ସ୍ୱଚ୍ଛ ପରିବେଶ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ନୋଡାଲ ଅଫିସର, (ଏନ୍. ଏସ୍.ଏସ୍. ) ଡ. ଅନାମ ଚରଣ ରାଉଳ, ଜାତୀୟ ସେବା ଯୋଜନାର ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା, ସ୍ନାତକୋତ୍ତର କାର୍ଯ୍ୟକ୍ରମ ସଂଯୋଜକ ଡ. ଯତୀନ୍ଦ୍ର ନାଥ ବେଶ୍ରା ଏବଂ ସ୍ନାତକୋତ୍ତର କାର୍ଯ୍ୟକ୍ରମ ସଂଯୋଜିକା ଡ. ପ୍ରିୟଙ୍କା ଦାସ ଯୋଗଦେଇଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଓ ଏନ୍. ଏସ୍.ଏସ୍. ସ୍ୱେଚ୍ଛାସେବୀ ଉତ୍ସାହର ସହ ଯୋଗଦେଇ ବିଶ୍ୱବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନ ସଫେଇ କରିଥିଲେ। ଏଥିସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା ଓ ସେବାର ଆଦର୍ଶକୁ ଅନୁସରଣ କରି ଏକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ପାଇଁ ସମସ୍ତେ ଆଗେଇ ଆସିବାର ଆହ୍ୱାନ ଦିଆଯାଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *