
ଆଦିମ ମାନବ ଜୀବନ ପ୍ରବାହ
ପଶୁ ପରି ଥିଲା ହୀନ,
ଜ୍ଞାନ-ବୁଦ୍ଧି ବଳେ ଏବର ମାନବ
ସୁବର୍ଣ୍ଣ ଜାଜ୍ବଲ୍ଯମାନ ।
ଜ୍ଞାନ-ବୁଦ୍ଧି ବଳେ ବିଜ୍ଞାନ ସୃଜନେ
ଆବିଷ୍କାର ଉଦ୍ଭାବନ,
ମହାସାଗରରୁ ମହାକାଶ ଯାଏ
ସ୍ୱଚ୍ଛନ୍ଦରେ ବିଚରଣ ।
ମୂଲ୍ଯବାନ ଚିନ୍ତା ଅଭିଜ୍ଞ ଧାରଣା
ପ୍ରଯୁକ୍ତି କଳା-ସାହିତ୍ଯ,
ନୃତ୍ଯ ଓ ସଂଗୀତ କାରିଗରୀ ବିଦ୍ୟା
ବୌଦ୍ଧିକ ସମ୍ପତ୍ତି ସତ୍ଯ ।
ଲେଖକ ଡାକ୍ତର ଇଂଜିନିୟର ଓ
ଦାର୍ଶନିକ ବୈଜ୍ଞାନିକ,
ଜ୍ଞାନୀ-ଗୁଣୀ ଜନେ ମହିମା ମଣ୍ଡିତେ
ବିଶ୍ବ ସମ୍ପତ୍ତି ବୌଦ୍ଧିକ ।
ସୃଜନୀୟ ଶକ୍ତି ପ୍ରତିଭା କୌଶଳ
ବିଶ୍ବ ବୌଦ୍ଧିକ ସମ୍ପତ୍ତି,
ପ୍ରୟୋଗଶାଳାରେ ବିପର୍ଯ୍ୟୟ ନାଶେ
ଅଭିମନ୍ତ୍ରେ ଶାନ୍ତି ମୁକ୍ତି ।
ପଞ୍ଚଭୂତ ସାଥେ ସାଗର ପର୍ବତ
ପ୍ରକୃତି ସମ୍ପତ୍ତି ମାତ୍ର,
ଉପଭୋଗ୍ୟ ଦ୍ରବ୍ଯ ବୌଦ୍ଧିକ ସମ୍ପତ୍ତି
ମାନବକୃତ ମହତ୍ତ୍ବ ।
ସୂର୍ଯ୍ୟାଲୋକ ସିନା ଅନ୍ଧାର ଦୂରେଇ
ପଥ କରେ ଆଲୋକିତ,
ସାହିତ୍ଯାଲୋକରେ ହୃଦୟାଲୋକିତ
ଜନ-ଚିତ୍ତ ମହକିତ ।
ବେଦ-ଶାସ୍ତ୍ର ଗୀତା ସାହିତ୍ଯ ସଂହିତା
ଶୁଦ୍ଧ ସମ୍ପତ୍ତି ବୌଦ୍ଧିକ,
ବୌଦ୍ଧିକ ମାନବ ଦ୍ବିତୀୟ ଈଶ୍ୱର
ଜନତା ଭାଗ୍ଯ-ବାହକ ।
ବୌଦ୍ଧିକ ସମ୍ପତ୍ତି ନୁହେଁ ନଷ୍ଟ-ଭ୍ରଷ୍ଟ
ନୁହେଁ ମଧ୍ଯ ହତାଦର,
ବିପଦ-ତାରକ ପଥ ପ୍ରଦର୍ଶକ
ଘଡ଼ିସନ୍ଧିର ଈଶ୍ୱର ।
ବୌଦ୍ଧିକ ସମ୍ପତ୍ତି ବିଶ୍ବ ସଂଗଠନ
ଚିନ୍ତା-ଚେତନେ ସଦସ୍ଯ,
ଦି’ ହଜାର ସନେ ଅପ୍ରେଲ ଛବିଶେ
ସୃଜେ ଉତ୍ସବ ଦିବସ ।
ସତ୍ଯ ଚିରନ୍ତନେ ଏ ଶୁଭ ଦିବସେ
ଶୁଭେଚ୍ଛା ହୃଦେ ସୁବାସ,
କୁଶଳ ମଙ୍ଗଳେ ସତୀର୍ଥ ସାରଥି
କବି ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ