ଆଟିଟ୍ୟୁଡ଼ ଏକ୍ସିମ ପ୍ରାଇଭେଟ ଲିମିଟେଡ଼ରେ ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି

ରାଜଗାଙ୍ଗପୁର (କ.ବ୍ୟୁ)୨୬/୪ : ରାଜଗାଙ୍ଗପୁର ଅଞ୍ଚଳର ପଦାଜାମପାଲି ସ୍ଥିତ ଆଟିଟ୍ୟୁଡ଼ ଏକ୍ସିମ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ଶନିବାର ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଖବର ମିଳିଛି । ଅଗ୍ନିକାଣ୍ଡ ଘଟିବା ପରେ କାରଖାନା ପରିସରରେ ଆତଙ୍କ ଖେଳିଯାଇଥିଲା ଚାରିପାଖ ଅଞ୍ଚଳରେ ଧୂଆଁର କଳା ମେଘ ଛାଇଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ରାଜଗାଙ୍ଗପୁର ଓ କୁତ୍ରା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ପାଣି ଛିଟି ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଥିଲେ। ନିଆଁର ତୀବ୍ରତା ଅଧିକ ଥିବାରୁ ନିଆଁ ନିଭାଇବାରେ ବେଶ କଷ୍ଟ ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଖାନା ଭିତରେ ଥିବା ଯନ୍ତ୍ରପାତି, କଚ୍ଚାମାଲ ଓ ଅନ୍ୟାନ୍ୟ ସାମଗ୍ରୀ ଅଗ୍ନିକାଣ୍ଡରେ ପୁଡ଼ି ନଷ୍ଟ ହୋଇଥିବା କୁହାଯାଉଛି। ଏହାର ଫଳରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ତେବେ ସଠିକ୍ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ କିପରି ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବିଦ୍ୟୁତ୍ ସର୍କିଟ୍‌ ଶର୍ଟ ହେବା କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସମ୍ବନ୍ଧିତ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ପୋଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *