
ମୟୂରଭଞ୍ଜ/ବାରିପଦା( କ ବ୍ୟୁ ) : “ଆଖି ବନ୍ଦ କରି ଥରେ ଭାବନ୍ତୁ ତ… ଯିଏ ଦିନେ ଦେଶର ସବୁଠାରୁ ବଡ଼ ନ୍ୟୁଜ୍ ଚ୍ୟାନେଲର ମାଲିକ ଥିଲେ, ଯାହାଙ୍କର ଗୋଟିଏ ଇଶାରାରେ ଶହ ଶହ କ୍ୟାମେରା ଚାଲୁଥିଲା, ଯାହାଙ୍କ ଷ୍ଟୁଡିଓର ଚମକରେ ବଡ଼ ବଡ଼ ନେତାଙ୍କ ଆଖି ଝଲସି ଯାଉଥିଲା… ସେ ଆଜି ୭୬ ବର୍ଷ ବୟସରେ, ହାତରେ ଏକ ମୋବାଇଲ୍ ଫୋନ୍ ଧରି ବଙ୍ଗଳାର ଧୂଳିଉଡ଼ା ରାସ୍ତାରେ ଛିଡ଼ା ହୋଇଛନ୍ତି। ଏ ଚିତ୍ରଟି ପ୍ରଣୟ ରାୟଙ୍କର। ଏହା କେବଳ ଏକ ଫଟୋ ନୁହେଁ, ଏହା ଆଜିର ସମୟର ସବୁଠାରୁ ବଡ଼ କ୍ରନ୍ଦନ। କେତେ କଷ୍ଟ ହୋଇନଥିବ ସେଦିନ, ଯେବେ ନିଜ ହାତରେ ଗଢ଼ିଥିବା ସେହି ‘NDTV’ ର ସାମ୍ରାଜ୍ୟକୁ କିଛି ଧନୀ ଆଉ ଲୋଭୀ ଶକ୍ତିମାନେ ଛଡ଼ାଇ ନେଇଥିବେ। ଯେଉଁ ଚ୍ୟାନେଲକୁ ସେ ନିଜ ସନ୍ତାନ ଭଳି ପାଳିଥିଲେ, ସେଥିରୁ ତାଙ୍କୁ ବାହାର କରିଦିଆଗଲା।କିନ୍ତୁ ଦେଖନ୍ତୁ… ସେ ହାରିନାହାନ୍ତି। ତାଙ୍କ ପାଖରୁ ଚ୍ୟାନେଲ୍ ଛଡ଼ାଇ ନିଆଯାଇପାରେ, କିନ୍ତୁ ତାଙ୍କ ଭିତରେ ଥିବା ସେହି ‘ସାମ୍ବାଦିକ’କୁ କିଏ କିଣିବ? ସେ ଚାହିଁଥିଲେ ତାଙ୍କର ବାକି ଜୀବନ ବହୁତ ଆରାମରେ କାଟିପାରିଥାନ୍ତେ। କିନ୍ତୁ ନା… ସେ ମଶାଲ୍ ଜାଳିବାକୁ ବାହାରିଛନ୍ତି। ଆମେ ଟିକେ ସୁବିଧା ନମିଳିଲେ ଅଭିଯୋଗ କରୁ, ଟିକେ ଅସୁବିଧା ହେଲେ ସାମ୍ବାଦିକତା ଛାଡ଼ିଦେଉ। କିନ୍ତୁ ଏହି ୭୬ ବର୍ଷର ବୃଦ୍ଧ ଜଣକ ଶିଖାଉଛନ୍ତି ଯେ— “ସାମ୍ବାଦିକତା କୌଣସି ଚେୟାର୍ରେ ବସି ହୁଏନାହିଁ, ସାମ୍ବାଦିକତା ତ ରକ୍ତରେ ଥାଏ।”ଯେବେ ସେ ଗୋଟିଏ ହାତରେ ମାଇକ୍ ଆଉ ଅନ୍ୟ ହାତରେ ନିଜ ମୋବାଇଲ୍କୁ ଧରି ରିପୋର୍ଟିଂ କରନ୍ତି, ସେତେବେଳେ ସେ କୌଣସି ସାଧାରଣ ରିପୋର୍ଟର ଭଳି ଦେଖାଯାନ୍ତି ନାହିଁ। ସେତେବେଳେ ସେ ଦେଖାଯାନ୍ତି ଜଣେ ଏମିତି ଯୋଦ୍ଧା ଭଳି, ଯାହାର ସବୁ କିଛି ଲୁଟି ନିଆଯାଇଛି ସତ, କିନ୍ତୁ ତା’ର ‘ଆତ୍ମସମ୍ମାନ’ ଆଜି ବି ଆକାଶ ଛୁଆଁ। ସାର୍, ଆପଣଙ୍କୁ ଦେଖିଲେ ଆଜି ଆଖି ଭରି ଆସୁଛି। ଆପଣଙ୍କ ଏହି ସଂଘର୍ଷ ଆଜିର ହଜାର ହଜାର ସାମ୍ବାଦିକଙ୍କ ପାଇଁ ଏକ ଶିକ୍ଷା। ଆପଣ ହାରିନାହାନ୍ତି ସାର୍… ହାରିଯାଇଛି ସେହି ବ୍ୟବସ୍ଥା, ଯିଏ ଭାବିଥିଲା ଟଙ୍କାରେ ସବୁକିଛି କିଣାଯାଇପାରେ।