ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ତଥା କର୍ମଶାଳା ଆୟୋଜିତ

ଅନୁଗୋଳ,୨୭.୦୨ : ଜିଲ୍ଲା ପ୍ରଶାସନ ତରଫରୁ “ନିଶା ମୁକ୍ତ ଭାରତ ଅଭିଯାନ” ଅଧୀନରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥ ସହ ପଦଯାତ୍ରା ଆୟୋଜନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରେ ପରେ ସଭାଘରଠାରେ ଆୟୋଜିତ ସାଧାରଣ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଯୋଗ ଦେଇ ନିଶା ମୁକ୍ତ ଭାରତ ଅଭିଯାନରେ କିଶୋରମାନଙ୍କ ସଚେତନତା ଅତ୍ୟନ୍ତ ଆବଶ୍ୟକ ବୋଲି ଉଲ୍ଲେଖ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରରେ ରହିବା ସହ ନିଜ ବନ୍ଧୁମାନଙ୍କୁ ମଧ୍ୟ ଏଥିରୁ ଦୂରରେ ରଖିବାକୁ ପରାମର୍ଶ ଦେଇଥିଲେ। ସେ ଯୁବପିଢିଙ୍କୁ ଆହ୍ୱାନ କରି କହିଥିଲେ ଯେ, କେବଳ ପରିବାର କିମ୍ବା ସମାଜ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ନିଜେ ନିଶାମୁକ୍ତ ରହିବାକୁ ପ୍ରତିବଦ୍ଧ ହେବା ଦରକାର, କାରଣ ପରିବର୍ତ୍ତନ ସର୍ବଦା ନିଜଠାରୁ ଆରମ୍ଭ ହୁଏ। ଏହା ହିଁ “ନିଶା ମୁକ୍ତ ଭାରତ ଅଭିଯାନ”ର ମୂଳ ସନ୍ଦେଶ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା—ପ୍ରବନ୍ଧ, ବକ୍ତୃତା, ପୋଷ୍ଟର ଆଦିରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀ ମାନସ ରଞ୍ଜନ ଭଞ୍ଜ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୀଷ ଏକ୍କା, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଧନଞ୍ଜୟ ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୋଳଗୋବିନ୍ଦ ବିଶ୍ୱାଳ, ଅବକାରୀ ଉପାଧ୍ୟକ୍ଷ ଶ୍ରୀ ଧୀରେନ କୁମାର ବେହେରାଙ୍କ ସମେତ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *