
ସତ୍ୟ ଶାନ୍ତି ଦୟା କ୍ଷମା ଓ ଅହିଂସା
ଥାଏ ଯା’ର ଆଚରଣ,
ପୁଣ୍ୟ ପବିତ୍ର’ର ଆତ୍ମା ସେହି ଜନ
ଦେବତା ସାଥେ ସମାନ ।
ଜୀବ ପ୍ରତି ଦୟା ନ କରେ ଯେ’ ଜନ
ସେ ଅଟେ ପଶୁ ସମାନ,
ମାନବକୁ ଭଲ ନ ପାଏ ଯେ’ ଜନ
ଅଟେ ସେହି ଶଇତାନ ।
ଶକ୍ତି ଓ ସାମର୍ଥ୍ୟ ବୃଥା ବୋଲି ଜାଣ
ଯଦି ନାହିଁ ଦୟା-ଧର୍ମ,
ଶିକ୍ଷା ଦୀକ୍ଷା ସର୍ବ ଯେମନ୍ତ ନିଷ୍ଫଳ
ନ ଥିଲେ ସୃଜ୍ୟ ସୁକର୍ମ ।
ଦୀନ-ଦରିଦ୍ରଙ୍କୁ ଅନ୍ନ-ବସ୍ତ୍ର ଦାନ
ଅସହାୟଙ୍କୁ ସହାୟ,
ମହତ ଲୋକଙ୍କ ଅଟେ ଦୟା ଗୁଣ
ମାନବୀୟ ପରିଚୟ ।
ସେବା ଉପକାର ପତିତ ଉଦ୍ଧାର
ସାହାଯ୍ୟ କି ସହଯୋଗ,
ଏ ସକଳ କର୍ମ ଅଟେ ଦୟା-ଧର୍ମ
ଦୟାର୍ଦ୍ରର ଅନୁରାଗ ।
ଦୟାର୍ଦ୍ର ଦିବସ ଶୁଭ ଉଦ୍ଘାଟକ
ସିଙ୍ଗାପୁର ଓ ଜାପାନ,
ଊନବିଂଶ ଶତ ଅଠାନବେ ସନ
ନଭେମ୍ବର ତେର ଦିନ ।
ଦୟା ପ୍ରଦର୍ଶନ ଦିବସେ ଶୁଭେଚ୍ଛା
ବିଶ୍ଵବାସୀ ସର୍ବ ଜନ,
ଦୟା-ଧର୍ମ ଗୁଣେ ମାନବ କଲ୍ୟାଣେ
ଲଭ ଆଦର ସମ୍ମାନ !