
ନିରାମୟ ସ୍ଵାସ୍ଥ୍ୟ ସୌଷ୍ଠବ ଶରୀର
ଐଶରିକ ବରଦାନ,
ପ୍ରଭୁ ପାଦେ ଲୟ ଅଧ୍ୟାତ୍ମ୍ୟ ଜୀବନ
ମାନବୀୟ ଶ୍ରେଷ୍ଠ ଗୁଣ ।
କର୍ମ ଶ୍ରମ ସାଥେ ଯୋଗ ଓ ବ୍ୟାୟାମ
ଶରୀରର ପ୍ରୟୋଜନ,
ବ୍ୟବହାର ବିନା ପଦାର୍ଥ ବିନଷ୍ଟ
ଶରୀର ସେମନ୍ତ ଜାଣ ।
ମାନବ ଜୀବନ ରୋଗ ବ୍ୟାଧି ପୂର୍ଣ୍ଣ
ଅସତର୍କତାର ଫଳ,
ଥଣ୍ଡା ଜ୍ବର କାଶ ନ ଚିନ୍ତ ସାମାନ୍ୟ
ହୋଇପାରେ ଅସମ୍ଭାଳ !
ଶ୍ଵାସ-କ୍ରିୟା ଯନ୍ତ୍ର ଫୁସ୍ ଫୁସ୍ ଜାଣ
ଜୀବନ ରକ୍ଷା କାରକ,
ଜ୍ବର ସନ୍ନିପାତ ନିମୋନିଆ ରୋଗ
ଅଟେ ଯାହା ସାଂଘାତିକ !
ଏବେ ପରିବେଶ ଏମନ୍ତ ଦୂଷିତ
ଡେଙ୍ଗୁ ମ୍ଯାଲେରିଆ ଜ୍ବର,
ହଇଜା ଇତ୍ୟାଦି ପୁଷ୍ଟିହୀନେ ଶିଶୁ
ବିଭିନ୍ନ ରୋଗେ ଶିକାର ।
ଫୁସଫୁସ୍ ଯନ୍ତ୍ର ନିଃଶ୍ବାସ ପ୍ରଶ୍ବାସ
ନିର୍ବାହନ କାର୍ଯ୍ୟକ୍ରମ,
ବାୟୁମଣ୍ଡଳରୁ ଅମ୍ଳଜାନ ନେଇ
ନିକ୍ଷେପେ ଅଙ୍ଗାରକାମ୍ଳ ।
ଅମ୍ଳଜାନେ ରକ୍ତ ବିଶୁଦ୍ଧକରଣ
ଧମନୀରେ ପ୍ରବାହିତ,
ସୁସ୍ଥ ଓ ସବଳ ଯା’ ପାଇଁ ଶରୀର
ତାହା ଫୁସଫୁସ୍ ଯନ୍ତ୍ର ।
ଜ୍ବର କାଶ କଫ ଫୁସଫୁସ୍ କଷ୍ଟ
ଶରୀର ହୁଏ ଦୁର୍ବଳ,
ନିଶା ସେବନ ଓ ଧୂମପାନ ଅଟେ
ଶରୀରେ କ୍ଷତି ପ୍ରବଳ ।
ଦି’ ହଜାର ନଅ ନଭେମ୍ବର ବାର
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ,
ଜନସାଧାରଣ ସ୍ବାସ୍ଥ୍ୟ ସୁରକ୍ଷାରେ
ସୁଯତ୍ନେ ପ୍ରତିପାଳନ ।
ବିଶ୍ଵ ନିମୋନିଆ ଦିବସେ ପ୍ରାର୍ଥନା
ସ୍ଵାସ୍ଥ୍ୟସେବା ପ୍ରତି ଧ୍ୟାନ,
ଯୋଗ-ବ୍ୟାୟାମ କି ଖାଦ୍ୟ-ପେୟ ହେଉ
ଆଚାର-ନିଷ୍ଠ ଶୋଭନ !