ମାରପିଟ ଓ ଶ୍ରୀମନ୍ଦିର ପରିସରରେ ଡାଲ୍ଡ଼ା ଘିଅ ବ୍ୟବହାର କରିବାକୁ ପ୍ରରୋଚନା ଘଟଣାରେ ତିନି ସେବାୟତ ନିଲମ୍ବିତ

ପୁରୀ : (ବଳରାମ ତ୍ରିପାଠି ରିପୋର୍ଟ): ପୁରୀ ଗତମାସ ବାହାର କାଠ ନିକଟରେ ଯାତ୍ରୀମାନଙ୍କ ଠାରୁ ବେନିୟମ ଭାବେ ଅର୍ଥ ଆଦାୟ କରିବା ତଥା ଅର୍ଥ ଆଦାୟକୁ ନେଇ ନିଜ ନିଜ ଭିତରେ ମାରପିଟ ତଥା ଗଣ୍ଡଗୋଳ କରି ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ ଗୁରୁତର ଭାବେ ପ୍ରଭାବିତ କରିଥିବାରୁ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ର ୨୧ (କ) ଧାରା ଅନୁଯାୟୀ ଦୁଇ ମାସ ପାଇଁ ନିଲମ୍ବନ କରିଛନ୍ତି। ସେହିପରି ଶ୍ରୀମନ୍ଦିର ପରିସରକୁ ଡାଲ୍ଡ଼ା ଘିଅ ବ୍ୟବହାର କରିବାକୁ ପ୍ରରୋଚନା ଦେଇଥିବାରୁ ମହାସୁଆର ସେବକ ବେନା ମହାସୁଆରଙ୍କୁ ମଧ୍ୟ ଦୁଇ ମାସ ପାଇଁ ସେବାକାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତିନି ଜଣ ସେବକଙ୍କୁ ସ୍ପଷ୍ଟ ଭାବରେ ଚେତେଇ ଦିଆଯାଇଛିଯେ ଏହି ନିଲମ୍ବନ ସମୟରେ ସେମାନେ ନିଜେ କିମ୍ବା ଅନ୍ୟ କୌଣସି ସେବାୟତ କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ବାରା କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଅପଚେଷ୍ଟା କଲେ ନିଲମ୍ବନ ଅବଧିକୁ ବୃଦ୍ଧି କରାଯିବା ସହ, ଆହୁରି ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ ନୀତି କାନ୍ତି ବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନରେ କୌଣସି ପ୍ରକାର ବାଧକ ସାଜିଲେ, ସଂପୃକ୍ତ ସେବାୟତ କିମ୍ବା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଛଡାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି ଏବଂ ଶ୍ରୀମନ୍ଦିରର ଶୃଙ୍ଖଳା ଏବଂ ଗରିମା ରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *