“କପ୍ତିପଦା ଉପଖଣ୍ଡରେ ସୁଭଦ୍ରା ଯୋଜନାର ଶୁଭ-ଉଦ୍‌ଘାଟନ”

ଉଦଳା(କ:ବ୍ଯୁ) ୧୭/୦୯\୨୫ – ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସମଗ୍ର ରାଜ୍ୟରେ ସମର୍ପିତ ହେବାକୁ ଥିବା ସୁଭଦ୍ରା ଯୋଜନା ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ କପ୍ତିପଦା ଉପଖଣ୍ଡର ୪ ଗୋଟି ବ୍ଲକ୍ ଉଦଳା, କପ୍ତିପଦା, ଗୋପବନ୍ଧୁନଗର, ଖୁଣ୍ଟା ଏବଂ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦପାଇଁ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉଦଳା ଏନ୍‌.ଏ.ସି.ର କାର୍ଯ୍ୟକ୍ରମ ଉଦଳା ବ୍ଲକ୍ ସହିତ ଅନୁଷ୍ଠିତ ହୋଇଥିଲା । ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢ଼େଇ ସର୍ବପ୍ରଥମେ କପ୍ତିପଦା ବ୍ଲକ୍ ପାଇଁ କପ୍ତିପଦା ହାଇସ୍କୁଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦ୍ୱିତୀୟ କାର୍ଯ୍ୟକ୍ରମ ଭାବେ ଉଦଳା ବ୍ଲକ୍ ପାଇଁ ଉଦଳା ହାଇସ୍କୁଲ ପଡ଼ିଆ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସର୍ବଶେଷରେ ଗୋପବନ୍ଧୁନଗର ବ୍ଲକ୍ ତରଫରୁ ବଡ଼ଖୁଣ୍ଟା କ୍ରିକେଟ୍ ପଡ଼ିଆ ଠାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ ଘରେ ଘରେ ସୁଭଦ୍ରା ଯୋଜନା ପହଞ୍ଚାଇବା ଉଦ୍ଦେଶ୍ୟରେ ଉପସ୍ଥିତ ହିତାଧିକାରୀ ଓ ଜନସାଧାରଣଙ୍କୁ ବକ୍ତବ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଉଦଳା ବ୍ଲକ୍ ତରଫରୁ ଆୟୋଜିତ ଉକ୍ତ ଶୁଭଉଦ୍‌ଘାଟନ କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସୁଭଦ୍ରା ଯୋଜନା ବାବଦରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍‌, ବ୍ଲକ୍ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଏନ୍‌.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପାଧ୍ୟକ୍ଷା ଲିଲି ଭୋଳ, ବି.ଡ଼ି.ଓ. ତୃପ୍ତି ବରାଇ, ସି.ଡି.ପି.ଓ. କୃଷ୍ଣା ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ, ବୁଦ୍ଧିଜୀବୀ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ସୁଭଦ୍ରା ଯୋଜନା ହିତାଧିକାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତିର କର୍ମକର୍ତ୍ତା, ବ୍ଲକ୍ ସ୍ତରୀୟ ମହାସଂଘ, ପଞ୍ଚାୟତ ସ୍ତରୀୟ ମହାସଂଘ, ୱାର୍ଡ ସ୍ତରୀୟ ମହାସଂଘ ଓ ବ୍ୟାଙ୍କ ମିତ୍ର ଆଦି ଯୋଗ ଦେଇଥିଲେ । ବି.ଡ଼ି.ଓ ଓ ସି.ଡ଼ି.ପି.ଓଙ୍କ ପ୍ରତ୍ୟକ୍ଷ ତତ୍ତ୍‌ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଏବଂ ଆଇସିଡ଼ିଏସ୍ କାର୍ଯ୍ୟାଳୟର କର୍ମଚାରୀ ପରିଚାଳନା କରିଥିଲେ । ସର୍ବଶେଷରେ ସୁଭଦ୍ରା ଯୋଜନା ସମ୍ପର୍କୀତ ସଚେତନତା ଉଦ୍ଦେଶ୍ୟରେ ପାଲା ପରିବେଷଣ କରାଯାଇଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *