ଭାଦ୍ରବ ମାସର ପୁଣ୍ଯ ଶୁକ୍ଳାଷ୍ଟମୀ
ଶ୍ରୀରାଧାଷ୍ଟମୀ ପବିତ୍ର,
ଭକ୍ତି ଶକ୍ତି ପ୍ରୀତି ପ୍ରେମମୟୀ ଦେବୀ
ଗୋପପୁରେ ଆବିର୍ଭୂତ ।
ପିତା ବୃଷଭାନୁ ସୁକନ୍ଯା ପ୍ରାପ୍ତିରେ
ରାଧା ନୟନ ମୁଦିତ,
ଶିଶୁ ଶ୍ରୀକୃଷ୍ଣଙ୍କ ହସ୍ତ ପରଶରେ
ଖୋଲଇ ଶ୍ରୀରାଧା ନେତ୍ର ।
ଏମନ୍ତ ଦୃଶ୍ଯରେ ନନ୍ଦ ରାଜାଙ୍କର
ବୃଷଭାନୁ ବଡ଼ ମିତ୍ର,
ଧୂଳିଘର ଠାରୁ କୁଞ୍ଜବନେ ପ୍ରେମ
ଶ୍ରୀରାଧା-କୃଷ୍ଣ ଏକତ୍ର ।
ତ୍ରେତୟାରେ ସୀତା ଦ୍ବାପରେ ଶ୍ରୀରାଧା
ଜଗତ-ଜନନୀ ମାତ,
ଚୈତନ୍ୟ କାରିଣୀ ପ୍ରେମ ପୂଜାରିଣୀ
ଜୟ ଜୟ ରାଧା-କୃଷ୍ଣ ।
ଶ୍ରୀକୃଷ୍ଣଙ୍କ ଅର୍ଦ୍ଧ ଶକ୍ତି ସ୍ବରୂପିଣୀ
ଅଲୌକିକ ପ୍ରତିଭାତ,
ଶ୍ରୀରାଧା ଶ୍ରୀପାଦ ସ୍ପର୍ଶନରେ ଶକ୍ତି
ରୋଗ ଶୋକାଦିର ଅନ୍ତ ।
କୁଞ୍ଜବନେ ଶୋଭା ପ୍ରେମମୟୀ ରାଧା
ଯମୁନା ନଈ ବିଭୋଳ,
ରାଈ କିଶୋରୀଙ୍କ କାଖରେ କଳସୀ
ବକ୍ଷଃ ଚୁମେ ଭରାଜଳ ।
ବୃନ୍ଦା – ବିନୋଦିନୀ ରାଧା ରାସେଶ୍ୱରୀ
କୃଷ୍ଣ ସଙ୍ଗିନୀ ଚରିତ,
ଭକ୍ତ ଜୟଦେବ ପ୍ରେମାମୃତ କାବ୍ୟ
ଗୀତ ଗୋବିନ୍ଦ ଭଣିତ ।
ଶୁଭ ରାଧାଷ୍ଟମୀ ପବିତ୍ର ଲଗନେ
ଭକ୍ତି-ଅର୍ଘ୍ୟ ଆରାଧନ,
ପ୍ରଭୁ ରାଧାକୃଷ୍ଣ ପ୍ରେମାମୃତ ପାନେ
ସର୍ବେ ଭବନ୍ତୁ ସୁଖିନଃ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା