
କଟକ : ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅପରାଧ ରୋକିବାରେ ସରକାର ବିଫଳ ହୋଇଥିବା ଦାୟୀ କରି ଓଡ଼ିଶା ଜନତା କଂଗ୍ରେସ କଟକରେ ଏକ ବଡ଼ ଧରଣର ଆନ୍ଦୋଳନ କରିଛି । ଏ ନେଇ ଜେଲ ରୋଡ ସ୍ଥିତ ନେତାଜୀ ମ୍ୟୁଜିୟମ ଗେଟ ନିକଟରୁ ଏକ ବିଶାଳ ରାଲି ବାହାରି ଡିଜିପି ଅଫିସ ଅଭିମୁଖେ ଯାତ୍ରା କରି ପ୍ରତିବାଦ ସଭା କରାଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ଦେଇଛି ଦଳ । ଦଳର ସଭାପତି ମହମ୍ମଦ ମୋକିମ କହିଛନ୍ତି ରାଜ୍ୟର ସବୁ ପୋଲି :ସ ଥାନାରେ ସାଧାରଣ ଲୋକେ ନ୍ୟାୟ ପାଉ ନାହାନ୍ତି । ଥାନା ଅଧିକାରୀ ମାନେ ମଧ୍ୟ ଲୋକଙ୍କ କଥା ଶୁଣୁ ନାହାନ୍ତି କି ଅଭିଯୋଗ ରଖୁ ନାହାନ୍ତି । ଯାହା ଫଳରେ ଶାସନ ବ୍ୟବସ୍ଥା ପୁରା ଢିଲା ହୋଇଯାଇଛି । ବାରଙ୍ଗ ଥାନା ପ୍ରସଙ୍ଗ ଠୁ ଆରମ୍ଭ କରି ବାଲିଅନ୍ତା,ଗଞ୍ଜାମ ଜିଲ୍ଲାର ଥାନା ପର୍ଯ୍ୟନ୍ତ ଥାନା ମାନଙ୍କରେ ସାଧାରଣ ଲୋକଟିଏ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସରକାର ଅପରାଧ ନିୟନ୍ତ୍ରଣ ରୋକିବା ସହ ଥାନା ଗୁଡିକରେ ବ୍ୟାପକ ବ୍ୟବସ୍ଥା କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଓଡିଶା ଜନତା କଂଗ୍ରେସ ପାର୍ଟି । କଟକ ସମେତ ବିଭିନ୍ନ ଜିଲ୍ଲାର ଶହ ଶହ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ । ଓଜେସି ର ଡିଜିପି କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।