“ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ”

ବାରିପଦା(କ: ବ୍ଯୁ)ତା୧୧/୦୬/୨୦୨୬ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ୧୧ ଜୁନ ୨୦୨୬ ତାରିଖରେ “ମା’ଙ୍କ ନାମରେ ଗୋଟିଏ ଗଛ (ଏକ୍ ପେଡ୍ ମା କେ ନାମ୍)” ଶୀର୍ଷକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା, ସବୁଜ ପୃଥିବୀ ଗଠନ ଏବଂ ମାତୃତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ସ୍ନାତ୍ତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ବିଶ୍ଵବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜ ମା’ଙ୍କ ନାମରେ ଏକ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଂକଳ୍ପ ଗ୍ରହଣ କରିଥିଲେ। ବକ୍ତାମାନେ ତାଙ୍କ ଉଦ୍ବୋଧନରେ ବୃକ୍ଷରୋପଣର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଗଛର ଭୂମିକା ଏବଂ ପରିବେଶ ସନ୍ତୁଳନ ରକ୍ଷାରେ ଯୁବପିଢ଼ିର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। “ଆଜି ଗଛ ଲଗାନ୍ତୁ, ଆସନ୍ତାକାଲିକୁ ସୁନ୍ଦର କରନ୍ତୁ” ଏବଂ “ପ୍ରକୃତିକୁ ବଞ୍ଚାନ୍ତୁ, ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଭଳି ସନ୍ଦେଶ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହଣକାରୀ ଲଗାଯାଇଥିବା ଚାରାଗୁଡ଼ିକର ସୁରକ୍ଷା ଓ ପରିଚର୍ଯ୍ୟା କରିବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶ ସଂରକ୍ଷଣରେ ସକ୍ରିୟ ଭୂମିକା ନିଭାଇବାକୁ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା, ଜିଲ୍ଲା ନୋଡାଲ ଅଧିକାରୀ ଡ. ଅନାମ ଚରଣ ରାଉଳ, ପ୍ରୋଗ୍ରାମ ଅଧିକାରୀ ଡ. ଯତୀନ୍ଦ୍ର ନାଥ ବେଶ୍ରା, ଅଜୟ କୁମାର ବଳ, ସୁସ୍ମିତା ପାତ୍ର, ସୁନେଲିକା ପ୍ରହରାଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *