
ମାନବ ଜୀବନ ହୋଇଅଛି ଧନ୍ଯ
ଜ୍ଞାନ-ଧ୍ଯାନ ବୁଦ୍ଧି-ବଳ,
ଶାରୀରିକ ସାଥେ ମାନସିକ ଶକ୍ତି
ବୃଦ୍ଧିରେ ସୃଜିଛି ଖେଳ ।
ସମଗ୍ର ବିଶ୍ବରେ ଆଜିକାଲି ଖେଳ
ପକାଇଅଛି ଚହଳ,
ଗୃହରୁ ଅଗଣା କ୍ଷେତ୍ର ମଇଦାନ
ତ୍ରିସ୍ଥାନେ ଚଳଚଞ୍ଚଳ ।
ଭାରତରେ ପର୍ବ- ପର୍ବାଣି ଶୋଭିତ
ସଂସ୍କୃତିସମ୍ପନ୍ନ ଖେଳ,
କୁଆଁର ପୂନେଇଁ ଯୁବତୀଙ୍କ ପୁଚି
ବର୍ଷାକାଳେ ଫୁଟବଲ ।
ଶୀତଦିନେ ଭଲି ବ୍ଯାଡମିନ୍ଟନ ଓ
ଦୋଳ ହୋଲି ପର୍ବେ ରଙ୍ଗ,
ପରମ୍ପରାଗତ ଖେଳରେ ସମାଜ
ଶାନ୍ତି-ପ୍ରୀତିର ସୁହାଗ ।
ମକର ସଂକ୍ରାନ୍ତି ଗୁଡ଼ିଉଡ଼ା ପର୍ବ
ରଜରେ ବାଗୁଡ଼ି ଖେଳ,
ଲୁଡୁ ତାସ ପାଲି ଚେସ କି କ୍ଯାରମ
ଘରୋଇ ଅବେଳ-ବେଳ ।
ସମଗ୍ର ବିଶ୍ବରେ କ୍ରିକେଟ ଖେଳର
ଭୂମିକା ବଡ଼ ବିଚିତ୍ର,
ଖେଳାଳି ହୁଅନ୍ତି କୋଟିପତି ଆଉ
ଆର୍ଥିକେ ଦେଶ ବୃହତ୍ତ ।
ପ୍ରତ୍ୟେକ ରାଜ୍ଯ ଓ ରାଷ୍ଟ୍ରୀୟ ସର୍କାର
ଖେଳ ଉନ୍ନତିରେ ଧ୍ଯାନ,
ବିଦ୍ୟାଳୟଠାରୁ କ୍ରୀଡ଼ା-ସଂଘ ଯାଏ
ସଆର୍ଥିକ ପ୍ରୋତ୍ସାହନ ।
ବିଶ୍ବରେ ବୃହତ୍ତ ଅଲିମ୍ପିକ ଖେଳ
ପ୍ରତିଯୋଗିତା ସମଗ୍ର,
ମହାଦେଶ ମଧ୍ଯେ ଏସିଆନ ଖେଳ
ଦ୍ବିତୀୟ ବୃହତ୍ତ ଅଗ୍ର ।
ଦୌଡ଼ା-ଦୌଡ଼ିଠାରୁ ସନ୍ତରଣ ଅବା
କୁସ୍ତି ଭାର ଉତ୍ତୋଳନ,
ଚାରିଶ’ ପ୍ରକାର ଖେଳ ଅନୁଷ୍ଠିତ
ଅଲିମ୍ପିକ ଏସିଆନ ।
ପ୍ରତିଯୋଗିବୃନ୍ଦେ ବିଜୟ ପଦକେ
ସ୍ବର୍ଣ୍ଣ ରୋପ୍ଯ ବ୍ରୋଞ୍ଚ ମାନ୍ଯ,
ନିଜ ଓ ଦେଶର ସୁନାମ ଅର୍ଜନେ
ଜୀବନ କରନ୍ତି ଧନ୍ଯ ।
ଭାରତରେ ହକି ଜାତୀୟ ଖେଳକୁ
ଭୁଲି ବି ଗଲେଣି ଲୋକ,
ଖେଳର ସଂଜ୍ଞା ବି ବିପରୀତଗାମୀ
ରାଜନୀତି ଖେଳ ଭୋକ !
ବିଭିନ୍ନ ଖେଳରେ ମିତ୍ରତା ବର୍ଦ୍ଧନ
ରାଜନୀତି ବିଷଧର,
ଅନ୍ତର୍ ଜାତୀୟ ଖେଳର ଦିବସ
ଯେ’ ଜୁନ ମାସ ଏଗାର ।
ରାଷ୍ଟ୍ର ଅବା ବିଶ୍ବେ ଖେଳ ଓ କ୍ରୀଡ଼ାରେ
ବିଭିନ୍ନ ତାରିଖ ନ୍ଯାସ,
ଖେଳ ହେଉ ଶୁଭ ବନ୍ଧୁତ୍ବ ବନ୍ଧନ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର, ଓଡ଼ିଶା-୭୫୫୦୧୧