
କଟକ ୦୭.୦୬.୨୦୨୬ ରିଖ ରବିବାର ସନ୍ଧ୍ୟା ୬ଟା ସମୟରେ କଟକ କଳା ବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ‘ନାଦ ନିନାଦ’ ଅନୁଷ୍ଠାନର ବିଶେଷ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ – “ଗ୍ରୀଷ୍ମୋତ୍ସବ- ୨୦୨୬”ର ଉଦଯାପନ ଦିବସରେ ବହୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଳାକାରମାନେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ଶିଳ୍ପୀମାନେ ଗଣେଶ ବନ୍ଦନା ଓ ପରେ ପରେ ୧୦ଟି ଥାଟ୍ ଉପରେ ଆଧାରିତ “ତରାନା ପ୍ରବାହ” ପରିବେଷଣ କରିଥିଲେ। ଏଥିରେ ତବଲାରେ ଶ୍ରୀ ଯୋଗେନ୍ଦ୍ର ନାଥ ସ୍ୱାଇଁ, ହାର୍ମୋନିୟମ୍ ରେ ଶ୍ରୀ ବିଶ୍ୱନାଥ ମିଶ୍ର ଓ ଶ୍ରୀ ଏ. ନାରାୟଣ ରାଓ ସହଯୋଗ କରିଥିଲେ।କାର୍ଯ୍ୟକ୍ରମର ପରବର୍ତ୍ତୀ ସୋପାନରେ ମୁମ୍ବାଇରୁ ଆସିଥିବା ପଣ୍ଡିତ୍ ନିତ୍ୟାନନ୍ଦ ହଳଦୀପୁର୍ ବଂଶୀ ବାଦନ କରି ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କ ସହ ତବଲାରେ ଦିଲ୍ଲୀରୁ ଆସିଥିବା ଶ୍ରୀ ଜିତେନ୍ଦ୍ର କୁମାର ସ୍ୱାଇଁ ସହଯୋଗ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ମୀରା ଦାସ ଓ ତାଙ୍କ ସାଥୀ ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମଗ୍ଧ କରିଥିଲେ। ସଭାକାର୍ଯ୍ୟ ଆରମ୍ଭରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ଼. ପ୍ରସନ୍ନ କୁମାର ସ୍ୱାଇଁ ଓ ଦୈନିକ ଖବର କାଗଜ ସମାଜର ମୁଦ୍ରାକର ତଥା ସମ୍ପାଦକ ଶ୍ରୀ ରାଜେନ୍ଦ୍ର ନାଥ ଜେନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ଏ. ମହେଶ୍ୱର ରାଓଙ୍କ ପୌରୋହିତ୍ୟରେ ଏହି ସଭାକାର୍ଯ୍ୟରେ ସମ୍ପାଦକ ଶ୍ରୀମତୀ ନମ୍ରତା ମହାନ୍ତି , ରଞ୍ଜନ କୁମାର ସାହୁ, ସୁଜନ କୁମାର ରାୟଚୌଧୁରୀ, ପ୍ରସନ୍ ଜିତ୍ ପରିଡ଼ା, କାନନ ବାଳା ରାୟଚୌଧୁରୀ , ଅଜୟ କୁମାର ବାରିକ୍ , ବିଜୟ କୁମାର ସ୍ୱାଇଁ , ବନବିହାରୀ ଦାସ, ଲଳିତ ତ୍ରିପାଠୀ , ବୁଦ୍ଧାଦିତ୍ୟ ମହାନ୍ତି, ବନଲକ୍ଷ୍ମୀ କାନୁନଗୋ, ବିଜୟଲକ୍ଷ୍ମୀ ପତି, ସବିତା ମହାନ୍ତି, ଜ୍ୟୋତିର୍ମୟୀ ପଣ୍ଡା, ରଶ୍ମୀ କାନୁନଗୋ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବିଶିଷ୍ଟ ଉଦଘୋଷକ ଶ୍ରୀ ବିଚିତ୍ରାନନ୍ଦ ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ବିଶ୍ୱନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।