ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫ ସଫଳତାର ସହ ପାଳିତ

ରାୟଗଡା (ତପନ କାଡ୍ରାକା) ରାୟଗଡ଼ ସହରସ୍ଥିତ UGMIT Conference Hall ରେ ରାୟଗଡ଼ ଜିଲ୍ଲାର ସାହିତ୍ୟ ଇତିହାସରେ ଏକ ଗରିମାମୟ ଅଧ୍ୟାୟ ଯୋଗ କରି ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫ ବିରାଟ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ସାହିତ୍ୟ ମହାକୁମ୍ଭରେ ଓଡ଼ିଆ ସାହିତ୍ୟର ସୃଜନାତ୍ମକ ଚେତନା, ସାହିତ୍ୟିକ ଚିନ୍ତନ ଓ ସଂସ୍କୃତିକ ସମ୍ପ୍ରୀତିର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା।ଏହି ଅବସରରେ ମଞ୍ଚାସୀନ ଥିଲେ ସଂପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଡ଼ଃ ଦ୍ୱିତିଚନ୍ଦ୍ର ସାହୁ, ଉପଦେଷ୍ଟା ଶ୍ରୀଯୁକ୍ତ ଲାବଣ୍ୟ ଶବର, ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅଶୋକ କୁମାର ଶାରଦା, ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ, ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଓ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁର୍ ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାଜ୍ଞ, ବିଜ୍ଞ, ବିବୁଧ ମଣ୍ଡଳୀ ସହିତ କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସାହିତ୍ୟ ପ୍ରେମୀମାନଙ୍କ ଉପସ୍ଥିତି ସଭାକୁ ଅତ୍ୟନ୍ତ ଉତ୍ସାହଜନକ କରିଥିଲା। ଓଡ଼ିଆ ସାହିତ୍ୟର ବିକାଶ, ସମକାଳୀନ ସାହିତ୍ୟ ଚିନ୍ତାଧାରା ଓ ନବୀନ ସୃଷ୍ଟି ସମ୍ପର୍କରେ ଆଲୋଚନା ସଭାର ମୁଖ୍ୟ ଆକର୍ଷଣ ଥିଲା।ଏହି ଅବସରରେ ଖ୍ୟାତନାମା ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁର୍ ମହୋଦୟଙ୍କୁ ରାୟଗଡ଼ ସାହିତ୍ୟ ମହୋତ୍ସବ ୨୦୨୫ ସମ୍ମାନ ରେ ସମ୍ମାନିତ କରାଯାଇଥିଲା, ଯାହା ସମଗ୍ର ସଭାର ଏକ ଗୌରବମୟ ମୁହୂର୍ତ୍ତ ଥିଲା।କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଗାଳ୍ପିକମାନେ ନିଜ ନିଜ ଗଳ୍ପ ପାଠ କରି ସାହିତ୍ୟ ପ୍ରେମୀମାନଙ୍କୁ ମନୋରଞ୍ଜିତ କରିଥିଲେ। ସେହିପରି କବି ସମାଜଙ୍କ ଦ୍ୱାରା କବିତା ପାଠ ହୋଇ ସଭାରେ ଭାବନା, ସୃଜନଶୀଳତା ଓ ସାହିତ୍ୟିକ ରସର ସୁନ୍ଦର ପ୍ରବାହ ଦେଖିବାକୁ ମିଳିଥିଲା।ସମଗ୍ର ମହୋତ୍ସବ ଓଡ଼ିଆ ସାହିତ୍ୟର ଉନ୍ନତି, ସାହିତ୍ୟିକମାନଙ୍କ ମଧ୍ୟରେ ସମ୍ପ୍ରୀତି ଓ ନୂତନ ପିଢ଼ୀକୁ ସାହିତ୍ୟ ପ୍ରତି ଆକର୍ଷିତ କରିବାରେ ଏକ ଅତ୍ୟନ୍ତ ସଫଳ ପ୍ରୟାସ ଭାବେ ପରିଗଣିତ ହୋଇଥିଲା।

Leave a Reply

Your email address will not be published. Required fields are marked *