
ବାରିପଦା(କ:ବ୍ଯୁ)ତା ୧୭-୧୧-୨୦୨୫ ରିଖ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ “ଏକତା ପଦଯାତ୍ରା ” ଆୟୋଜିତ ହୋଇଯାଇଛି।
ଉକ୍ତ ଏକତା ପଦଯାତ୍ରାକୁ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ମାନ୍ୟବର ବିଧାୟିକା ବାଙ୍ଗରିପୋଷୀ ସୁଶ୍ରୀ ସଞ୍ଜଳୀ ମୁର୍ମୁ, ବିଜେପି ର ବରିଷ୍ଠ ନେତା ଶ୍ରୀ କାନ୍ଦ୍ରା ସୋରେନ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମହାପାତ୍ର, ମହାମନୀଷୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନର ଆଦର୍ଶ ଓ ଦୃଢ଼ମନା ମନଭାବର ସ୍ମୁତି ଚାରଣ କରିବା ସହିତ ସ୍ୱାଧୀନ ଭାରତରେ ଦେଶୀୟ ରାଜ୍ୟ ସମୂହର ମିଶ୍ରଣ କେବଳ ତାଙ୍କର ବଳିଷ୍ଠ ଉଦ୍ୟମରେ ସମ୍ଭବ ହୋଇପାରିଥିଲା ବୋଲି କହିଥିଲେ।
ଆଜିର ଏଇ ଏକତା ପଦଯାତ୍ରା ବା ୟୁନିଟି ମାର୍ଚ୍ଚ ଦେଶବାସୀଙ୍କ ହୃଦୟରେ ଦେଶ ମାତୃକା ପ୍ରତି ଭକ୍ତି, ସର୍ଦ୍ଦାର ପଟେଲଙ୍କ ଅଖଣ୍ଡ ଭାରତ ଗଠନ ଓ ରାଷ୍ଟ୍ରୀୟ ଏକତା ଆଦର୍ଶ ପ୍ରତି ସମ୍ମାନ ତଥା ଦେଶପ୍ରେମ ଜାଗ୍ରତ କରିବା ଉଦେଶ୍ୟ ରେ ଅନୁଷ୍ଠିତ ହେଉଛି। ତତ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ମନ୍ତ୍ର ଭାରତକୁ ଏକ ସୁସ୍ଥ ଓ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଠନ କରିବା, , ସ୍ବଦେଶୀକୁ ଆପଣାଇ ଏକ ଭାରତ -ଆତ୍ମ ନିର୍ଭର ଭାରତ ଗଠନ କରିବା ଲକ୍ଷ୍ୟ ନେଇ ଆୟୋଜିତ ହେଉଛି ବୋଲି କହିଥିଲେ।
ସେହିପରି ଅନ୍ୟାନ୍ୟ ଅତିଥି ବୃନ୍ଦ ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା କୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧକୁ ନିରନ୍ତର ଉଦଜୀବିତ କରିବା ଏବଂ ଦେଶର ଅଖଣ୍ଡତା ପାଇଁ ଏକତା ସୂତ୍ରରେ ସମସ୍ତେ ଭାଇଚାରା ମନଭାବରେ ବାନ୍ଧି ହୋଇ ରହିବା ପାଇଁ ଆଜିର ଏଇ ଏକତା ପଦଯାତ୍ରା ଆୟୋଜିତ ହେଉଛି ବୋଲି ମତବ୍ୟକ୍ତ କରିଥିଲେ।
ଉକ୍ତ ଏକତା ପଦଯାତ୍ରା ଛଉ ପଡିଆ ଠାରୁ ଆରମ୍ଭ ହୋଇ ସହରରେ ପ୍ରାୟ ୧୦ କିମି ପରିକ୍ରମା କରିବା ଅବସରରେ ଏମ ପି ସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବାଲେଶ୍ୱର ଗୋଲେଇ ନିକଟ ମଞ୍ଚରେ ଦେଶାତ୍ମବୋଧ ଓ ମୟୂରଭଞ୍ଜର ପାରମ୍ପରିକ ଛଉ ନୃତ୍ୟ ଓ ଆଦିବାସୀ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏଇ ଭାରତ ଭୂମି ରେ ଜନ୍ମ ନେଇଥିବା ମହାପୁରୁଷ ଓ ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବେଶ ଭୁଷା ହୋଇ ଅଭିନୟ ମାଧ୍ୟମରେ ତା’ଙ୍କର ଚରିତ୍ର ଓ ଆଦର୍ଶକୁ ଉପସ୍ଥାପନ କରିଥିଲେ। ଉକ୍ତ ପଦଯାତ୍ରା ଛଉ ପଡିଆ ଠାରୁ ବାହାରି, ଅଗ୍ନିଶମ ଅଫିସ, ବେଲଗଡ଼ିଆ, ମା ଅମ୍ବିକା ମନ୍ଦିର,ଏମପିସି ଜୁନିଅର କଲେଜ, ଶ୍ରୀଜଗନ୍ନାଥ ମନ୍ଦିର, ବାଲେଶ୍ୱର ଗୋଲେଇ, ଟ୍ରାଫିକ ଛକ, ବିଜୁ ପଟ୍ଟନାୟକ ଛକ, କଚେରୀ ରୋଡ଼ ଦେଇ ଛଉ ପଡିଆ ଠାରେ ସମାପନ ହୋଇଥିଲା। ଏହି ଅବସରରେ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଏବଂ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ କ୍ରୀଡା ସମାବେଶ ରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ ଏକତା ପଦଯାତ୍ରା କାର୍ଯ୍ୟକ୍ରମରେ ବିଭିନ୍ନ ଜନପ୍ରତିନିଧି, ବିଜେପି ଦଳର ବିଭିନ୍ନ ନେତୃ ବୃନ୍ଦ, କର୍ମକର୍ତ୍ତା, ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନର ଅଧିକାରୀ ବୃନ୍ଦ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, କ୍ରୀଡା ଛାତ୍ରାବାସର ଅନ୍ତେବାସୀ, ସ୍ବେଛାସେବୀ, ବିଭିନ୍ନ କ୍ରୀଡ଼ାବିତ, ଗଣମାଧ୍ୟମର ପ୍ରତିନିଧି ଓ ନାଗରିକ ଇତ୍ୟାଦି ବିଭିନ୍ନ ବର୍ଗର ଜନସାଧାରଣ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକଙ୍କ ତତ୍ୱାବଧାନରେ ତଥା ବିଭିନ୍ନ ବିଭାଗର ସମନ୍ୱୟ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ସଂଚାଳନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)